Home ଜାତୀୟ ଏକ ରାଷ୍ଟ୍ର-ଏକ ଭାଷା ଲାଗୁ ପାଇଁ କୌଣସି ପ୍ରସ୍ତାବ ନାହିଁ – ଗୃହ ରାଷ୍ଟ୍ରମନ୍ତ୍ରୀ •...

ଏକ ରାଷ୍ଟ୍ର-ଏକ ଭାଷା ଲାଗୁ ପାଇଁ କୌଣସି ପ୍ରସ୍ତାବ ନାହିଁ – ଗୃହ ରାଷ୍ଟ୍ରମନ୍ତ୍ରୀ • ସବୁ ଭାଷାକୁ ଦିଆଯାଉଛି ସମାନ ଗୁରୁତ୍ୱ

12

ନୂଆଦିଲ୍ଲୀ,୨୦/୧୧ ;  ଦେଶରେ ଏକ ରାଷ୍ଟ୍ର – ଏକ ଭାଷା ଲାଗୁ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ । ସମ୍ବିଧାନରେ ଦେଶର ସବୁ ଭାଷାକୁ ସମାନ ଗୁରୁତ୍ୱ ଦିଆଯାଇଛି ବୋଲି ଲୋକସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ସୂଚନା ଦେଇଛନ୍ତି ।

ଏକ ରାଷ୍ଟ୍ର – ଏକ ଭାଷା ସଂକ୍ରାନ୍ତରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ସମ୍ବିଧାନର ସମବର୍ତ୍ତୀ ତାଲିକାରେ ଭାଷା ବିଷୟ ସ୍ଥାନିତ ହୋଇଛି । ଏହା କେନ୍ଦ୍ର ଏବଂ ସମ୍ପୃକ୍ତ ରାଜ୍ୟ ସରକାରଙ୍କ କାର୍ଯ୍ୟକାରୀ କ୍ଷେତ୍ରରେ ଆସୁଛି । ମନ୍ତ୍ରୀ ଆହୁରି କହିଥିଲେ ଯେ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟଠାରୁ ମିଳିଥିବା ସୂଚନା ଅନୁଯାୟୀ ଭାଷାୱାରୀ ସହାୟତା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇନଥାଏ । ତେବେ ବିଭିନ୍ନ ସମୟରେ ବିଭିନ୍ନ ଭାଷାର ବିକାଶ ଏବଂ ପ୍ରଚାର ପ୍ରସାର ପାଇଁ ଅନୁଦାନ ଯୋଗାଇ ଦିଆଯାଉଛି । 2016-19 ତିନି ବର୍ଷ ମଧ୍ୟରେ ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ହିନ୍ଦୀ ନିର୍ଦ୍ଦେଶାଳୟକୁ ଯଥାକ୍ରମେ 46.53, 46.53 ଓ 46.30 କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସେହିପରି ମହୀଶୂରସ୍ଥିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନକୁ ଯଥାକ୍ରମେ 40.50, 40.50 ଓ 40.07 କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସେହିପରି ନୂଆଦିଲ୍ଲୀସ୍ଥିତ କମିଶନ ଫର ସାଇଣ୍ଟିଫିକ ଏଣ୍ଡ ଟେକନିକାଲ ଟର୍ମିନୋଲୋଜିକୁ 12.10 କୋଟି ଲେଖାଏଁ ଅନୁଦାନ ତିନି ବର୍ଷରେ ଯୋଗାଇ ଦିଆଯାଇଛି । ଏହାଛଡା ସିନ୍ଧି, ଊର୍ଦ୍ଦୁ, ସଂସ୍କୃତ, ହିନ୍ଦୀ ଓ ଶାସ୍ତ୍ରୀୟ ତାମିଲ ଆଦି ଭାରତୀୟ ଭାଷାର ପ୍ରଚାର ପ୍ରସାର ପାଇଁ ଭାରତୀୟ ଭାଷା ପ୍ରୋତ୍ସାହନ ଅନୁଦାନ (ଜିପିଆଇଏଲ) ବାବଦରେ ଯଥାକ୍ରମେ 293.15, 355.50 ଓ 415.25 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସ୍ରୋତ-ପିଆବି