Thursday, November 12, 2026
Home ଆଞ୍ଚଳିକ ପଶା ଖେଳି ହାରିଗଲେ ଜଗତ ଠାକୁର, ୭ ଦିନ ପାଇଁ ରତ୍ନ ସିଂହାସନ ମନା

ପଶା ଖେଳି ହାରିଗଲେ ଜଗତ ଠାକୁର, ୭ ଦିନ ପାଇଁ ରତ୍ନ ସିଂହାସନ ମନା

5

୨୦/୧୦/୨୧ (ଜିଲ୍ଲା ଖବର ) : କାଳିଆ ଠାକୁର ଖେଳିଲା ପଶା ଶକଟା। ଆଉ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ପାଖରୁ ହାରି ଗଲେ। ସର୍ତ୍ତ ଥିଲା ରତ୍ନ ସିଂହାସନ ଛାଡି ମା’ଙ୍କ ପାଖରେ ବନ୍ଧା ପଡିବେ। ଆଉ ଠିକ୍‌ ସେମିତି ହେଲା। ଏଣିକି ୭ ଦିନ ଯାଏଁ କଳା ଠାକୁର ମା’ଙ୍କ ମନ୍ଦିରରେ ବନ୍ଧା ପଡିବେ। 

ପ୍ରତିବର୍ଷ କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଏକ ଦିବ୍ୟ ଦ୍ୟୁତକ୍ରୀଡ଼ା ଅନୁଷ୍ଠିତ ହୁଏ। ଆଶ୍ୱିନ ମାସରେ ଯେଉଁ ମାଧବ ବିଗ୍ରହ ଦୁର୍ଗାଙ୍କ ସହ ପୂଜିତ ହୁଅନ୍ତି, ସେହି ମାଧବ ବିଗ୍ରହ ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ସହ ଦ୍ୟୁତ ବା ପଶା ଖେଳନ୍ତି। ହେଲେ ପରିଣାମ ଆମ ତମ ମଣିଷଙ୍କ ଭଳି ମହାପ୍ରଭୁଙ୍କ ମଧ୍ୟ ହୁଏ। ମହାପ୍ରଭୁ ପଶା ଖେଳରେ ହାରନ୍ତି। ୭ ଦିନ ପାଇଁ ରତ୍ନ ସିଂହାସନ ଛାଡିବାକୁ ପଡେ ଜଗତ ଠାକୁରଙ୍କୁ। 

ପଶା କେବେ ବି ମଙ୍ଗଳକାରକ ନୁହେଁ। ଏହି କଥାଟି ଆମ ଭଳି ଛୋଟିଆ ମଣିଷଙ୍କୁ ବୁଝାଇବାକୁ ବଡ଼ଠାକୁର ଲୀଳା କରନ୍ତି। ହେଲେ ଅବୁଝା ମଣିଷ ବୁଝିବା ଦରକାର। ଅର୍ଥ ସବୁବେଳେ ଚଞ୍ଚଳା। ଲକ୍ଷ୍ମୀ ସବୁବେଳେ ବିଜୟୀ। ଟଙ୍କା ଆଜି ମୋର, କାଲି ତୁମର। ଏଣୁ ବୁଝିବା ଲୋକ ବୁଝିବ। ଓଡିଆ ଚଳଣୀ, ଓଡିଆ ପରମ୍ପରାରେ କେତେ ଶିକ୍ଷଣୀୟ କଥା ଠାରରେ କୁହାଯାଇଛି ତାହା ଜାଣିବା ଦରକାର।

ଶ୍ରୀମନ୍ଦିର ନୀତି: ଲକ୍ଷ୍ମୀମନ୍ଦିର ଜଗମୋହନ ଖଟ ଉପରେ ଦିଅଁ ବିଜେ କଲାପରେ ଏଠାରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଓ ଶ୍ରୀଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ଭିତରଛୁ ମହାପାତ୍ର ଉଭୟ ହିଙ୍ଗୁଳ କଉଡି- ଏକୋଇଶି, ରୂପା କଉଡି-ଏକୋଇଶି, ପଶା ଶକଟା ଖେଳନ୍ତି। ଏହାପରେ ଶୀତଳ ମଣୋହି ହୋଇ ଲକ୍ଷ୍ମୀ ସିଂହାସନକୁ ବିଜେ କରନ୍ତି ।

ବଡସିଂହାର ଧୂପ ସରିବା ପରେ ତିନି ପଣ୍ଡା, ପତି ଓ ମୁଦିରସ୍ତ ସିଂହାସନ ତଳେ ପୁଣି ଥରେ ଜୁଆ, ପଶା, ଶକଟା କଉଡି ଖେଳନ୍ତି। ଏହି ଖେଳରେ ଲକ୍ଷ୍ମୀଙ୍କ ପାଖରେ ମହାପ୍ରଭୁ ହାରିଯିବାରୁ ମାଧବ ବିଗ୍ରହ ମହାଜନଙ୍କ ହାତରେ ରତ୍ନ ସିଂହାସନରୁ ବିଜେ ହୋଇ ଲକ୍ଷ୍ମୀଙ୍କ ମନ୍ଦିରରେ ସାତ ଦିନ ବନ୍ଧା ରୁହନ୍ତି।

କିଛି କଉଡି ସହ ଭୋଗ ସାମଗ୍ରୀ ଏବଂ ନଡିଆ(ସୁନା ଓ ରୁପାର ପ୍ରତିକ ଭାବେ।) ମହାପ୍ରଭୁଙ୍କ ତାଟରେ ରୁହେ। ଯାହାକୁ ପଶା ଖେଳ ନୀତି ସମୟରେ ସେବକମାନେ ଖେଳିଥାନ୍ତି।