
କଳାହାଣ୍ଡି, ୧୯/୧୦/୨୧ (ଜିଲ୍ଲା ଖବର) : ମହାଲିଙ୍ଗ ଖେଳ ପଡିଆରେ ହଲଚଲ । ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ ଆରମ୍ଭ । ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରିଛି ପୋଲିସ । ସେଠାରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ପଡ଼ିଆକୁ ଚାରିପଟୁ ଘେରି ରହିଛି ପୋଲିସ । ଗତକାଲି ରାତିରୁ ଉପସ୍ଥିତ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଓ କେଗାଁ ଥାନା ଅଧିକାରୀ ଅଛନ୍ତି ।
ପୋଲିସ ନିର୍ମାଣାଧୀନ ଖେଳ ପଡ଼ିଆକୁ ତନ୍ନତନ୍ନ କରି ଯାଞ୍ଚ କରୁଛି । ଫେରାର୍ ଥିବା ସ୍କୁଲ ସଭାପତି ଗୋବିନ୍ଦ ସାହୁ ଏହି ଷ୍ଟାଡିୟମର ଠିକାଦାର ଅଛନ୍ତି । ପଡ଼ିଆରେ ମମିତାଙ୍କ ଶବକୁ ମାରିକି ପୋତି ଥାଇପାରେ ବୋଲି ସନ୍ଧେହ କରି ଗତ ମଧ୍ୟରାତ୍ରିରୁ ଏହି ପଡିଆକୁ ଘେରି ରହିଛି ପୋଲିସ। ଅନ୍ୟ ପକ୍ଷରେ ଜେସିବି ଡ୍ରାଇଭର ସେହି ଫିଲଡ଼ରେ ଥିବା ଜାଗାକୁ ଚିହ୍ନଟ କରିବାରୁ ପୁଲିସ ସେହି ସ୍ଥାନକୁ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।
ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ପ୍ରିନ୍ସପାଲ ମମିତା ମେହେର ନିଖୋଜ ଘଟଣାରେ ବୋର୍ଡ ଫାଣ୍ଡିରେ +2 କଲେଜ ପ୍ରିନ୍ସିପାଲ ରଞ୍ଜିତ ସାହୁ ଓ ଅନ୍ୟ ଜଣେ ମହିଳା ରୋଜି ସାହୁଙ୍କୁ ଚାଲିଛି ପଚରାଉଚରା । ଉଭୟଙ୍କୁ ଏସପି ପଚରାଉଚୁରା କରିବା ପରେ ବଲାଙ୍ଗିର ସିନ୍ଧେକେଲା ଥାନାକୁ ନିଆଯାଇଥିବା ଜଣାପଡିଛି । ସେଠାରେ ବଲାଙ୍ଗୀର ଏସପି ଜେରା କରିବେ ବୋଲି ସୂଚନା ମିଳିଛି ।
ମମିତା ମେହେର ଗତ ୮ ତାରିଖରୁ ନିଖୋଜ ଅଛନ୍ତି । ମିମିତା ସ୍କୁଲ ଯାଇ ଆଉ ଘରକୁ ଫେରି ନାହାନ୍ତି । ଏନେଇ ପରିବାର ଲୋକ ସିନ୍ଧେକେଲା ଥାନାରେ ଗୋବିନ୍ଦ ସାହୁଙ୍କ ନାଁରେ ଅପହରଣ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା। ଗତକାଲି ଟିଟିଲାଗଡ଼ ଥାନା ପୋଲିସ ବାରାକରୁ ଚମ୍ପଟ ମାରିଛି ଗୋବିନ୍ଦ । ଅଭିଯୁକ୍ତକୁ ଧରିବାକୁ ପୋଲିସର ୩ଟି ଟିମ୍ ଲାଗିଛନ୍ତି । ତେବେ ଏହି କେସ୍ରେ ବହୁ ବଡ ବଡ ନେତାମାନଙ୍କର ନାଁ ସାମ୍ନାକୁ ଆସିଛି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନା ସାମିଲ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।



