
ନୂଆଦିଲ୍ଲୀ, ୧୮/୧୦/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କର ଅଭିନୟ ସହିତ ତାଙ୍କର ବିବେକ-ବିଚାରକୁ ନେଇ ବେଶ ଜଣାଶୁଣା । ତେବେ ବଡ ବଡ ଫିଲ୍ମରେ ଦମଦାର ଚରିତ୍ରରେ ଅଭିନୟ କହୁଥିବା ଏହି ଅଭିନେତ୍ରୀ, ଜୀବନରେ ଅନେକ ଅସୁବିଧାର ସାମ୍ନା କରିଛନ୍ତି । ନିକଟରେ ତାଙ୍କ ପିଲାଦିନରେ ହୋଇଥିବା ଶୋଷଣ ବିଷୟରେ ଖୁଲାସା କରିଛନ୍ତି ନୀନା ଗୁପ୍ତା । ଜଣେ ଡାକ୍ତର ଏବଂ ଜଣେ ଟେଲର ତାଙ୍କୁ ଶୋଷଣ କରିଥିଲେ କିନ୍ତୁ ଏକଥା ସେ ତାଙ୍କ ମା’ଙ୍କୁ କହି ପାରିନଥିଲେ । ଏଥିପାଇଁ କାଳେ ତାଙ୍କୁ ଦାୟୀ କରିବେ ଭାବି ସେ କହି ନଥିଲେ ।
ଯେତେବେଳେ ନୀନା ସ୍କୁଲରେ ପଢୁଥିଲେ, ସେତେବେଳେ ସେ ତାଙ୍କ ଭାଇଙ୍କ ସହିତ ଡାକ୍ତରଙ୍କ ପାଖକୁ ଯାଇଥିଲେ, ଭାଇ ଓ୍ବେଟିଂ ରୁମରେ ଅପେକ୍ଷା କରିଥିଲେ ଏବଂ ସେ ଭିତରକୁ ଯାଇଥିଲେ । ଏହାପରେ ସେ ଲେଖିଛନ୍ତି ଯେ, ‘ ଡାକ୍ତର ମୋର ଆଖି ପରୀକ୍ଷା କରିବା ଆରମ୍ଭ କରିଥିଲେ ଏବଂ ହଠାତ୍ ସେ ତାଙ୍କର ଅନ୍ୟ ସ୍ଥାନକୁ ଛୁଇଁବା ଆରମ୍ଭ କରିଥିଲେ । ଯାହାର କି ମୋ ଆଖି ସହିତ କୌଣସି ସମ୍ପର୍କ ନଥିଲା । ମୋ ସହିତ ଯେତେବେଳେ ଏସବୁ ହୋଇଥିଲା, ମୁଁ ବହୁତ୍ ଡରି ଯାଇଥିଲି । ନିଜେ ନିଜକୁ ଘୃଣା କରୁଥିଲି । ଘରର ଗୋଟିଏ କୋଣରେ ଏକା ବସି କାନ୍ଦୁଥିଲି । ମୁଁ ଏତେ ଡରି ଯାଇଥିଲି ଯେ, ମା’ଙ୍କୁ କହିବାର ସାହାସ କରି ପାରୁ ନଥିଲି ।
ମତେ ଲାଗୁଥିଲା ଯେ, ସେ କହିବେ ଏହା ମୋ ଦୋଷ । ମୁଁ ତାଙ୍କୁ ଉସକାଇ ଥାଇପାରେ ବା କିଛି କହି ନଥାଇ ପାରେ । ଏହାପରେ ତାଙ୍କୁ ଅନେକ ଥର ଏପରି ଶୋଷଣ କରିଥିଲେ ଡାକ୍ତର ।
ଠିକ୍ ସେମିତି ସେ ଯେଉଁ ଟେଲର ପାଖକୁ ଯାଉଥିଲେ, ସେ ମଧ୍ୟ ତାଙ୍କୁ ଏପଟ ସେପଟ ଛୁଇଁ ଦେଉଥିଲେ । ତଥାପି ସେ ତାଙ୍କ ପାଖକୁ ଯିବାକୁ ବାଧ୍ୟ ହେଲେ ଯେହେତୁ ସେ ଅନୁଭବ କଲେ ଯେ ତାଙ୍କର ଆଉ କିଛି ବାଟ ନଥିଲା । ସେ କହିଛନ୍ତି ଯେ ‘ମୁଁ ଭାବିଲି ମୋର ଆଉ କୌଣସି ବିକଳ୍ପ ନାହିଁ। ମୁଁ ଯଦି ମୋ ମା’ଙ୍କୁ କହିଥାନ୍ତି କି, ମୁଁ ତାଙ୍କ ପାଖକୁ ଯିବାକୁ ଚାହୁଁ ନାହିଁ, ତ ସେ ମୋତେ ପଚାରି ଥାନ୍ତେ, କାହିଁକି ଏବଂ ମୋତେ ତାଙ୍କୁ କହିବାକୁ ପଡିଥାନ୍ତା । ଆଗକୁ ସେ ଏକଥା କହିଛନ୍ତି ଯେ, ଏବେ ୩ ବର୍ଷରୁ ପିଲାମାନଙ୍କୁ, ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା ଦିଆଯାଉଛି । ହେଲେ ତାଙ୍କୁ କିଶୋର ଅବସ୍ଥାରେ ଏନେଇ କୌଣସି ଶିକ୍ଷା ଦିଆଯାଇ ନଥିଲା।
ତେବେ ନୀନା ଗୁପ୍ତା ତାଙ୍କ ଆତ୍ମଜୀବନୀ ପୁସ୍ତକ’ସଚ୍ କହୁଁ ତ ‘ଏହା ଉଲ୍ଲେଖ କରିଛନ୍ତି ।





