
ଗଞ୍ଜାମ,୧୮/୧୦/୨୧ (ଜିଲ୍ଲା ଖବର) : ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢାଉ ପରେ ୧ କିଲୋ ୪୪୦ ଗ୍ରାମର ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ ଜବତ। ଜବତ ସୁନାକୁ ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ। ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରାଯିବ। ପ୍ରଦୀପଙ୍କ ଘରୁ ମିଳିଥିବା ସମ୍ପତ୍ତି ର ଦସ୍ତାବିଜକୁ ଭିଜିଲାନ୍ସର ଆର୍ଥିକ ବିଭାଗ ଚାର୍ଟାଡ ଆକାଉଣ୍ଟଙ୍କ ସହ ମିଶି ଯାଂଚ ଚଳାଇଛନ୍ତି। ସାଇବର ସେଲ ଦ୍ବାରା ଇଲେକ୍ଟ୍ରୋନିକ ତଥ୍ୟର ଯାଂଚ କରାଯାଉଛି। ପ୍ରତକ୍ଷଦର୍ଶୀ, ସନ୍ଦିଗ୍ଧ ଓ ଅଭିଯୁକ୍ତଙ୍କୁ ମଧ୍ୟ ସମୟାନୁକ୍ରମେ ଜେରା କରିବ ଭିଜିଲାନ୍ସ। ପ୍ରେସ ରିଲିଜ ଯୋଗେ ଏମିତି ସୂଚନା ଦେଇଛି ଭିଜିଲାନ୍ସ।
ସୂଚନାଯୋଗ୍ୟ, ବିବାଦୀୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଗତକାଲି ଭିଜିଲାନ୍ସ ରେଡ଼ କରିଥିଲା । କେବଳ ବିଧାୟକଙ୍କ ଘରେ ନୁହେଁ ବରଂ ତାଙ୍କ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ୧୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ତଦନ୍ତ ବେଳେ ଜଣାପଡ଼ିଥିଲା ୨୪ ମେ ୨୦୦୯ରୁ ୩୦ ନଭେମ୍ବର ୨୦୨୦ ମଧ୍ୟରେ ପ୍ରଦୀପ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି। ଏବେ ଏସପିଙ୍କ ନେତୃତ୍ୱରେ ୨ ଜଣ ଅତିରିକ୍ତ ଏସଏସପି, ୧୭ ଜଣ ଡିଏସପିଙ୍କ ନେତୃତ୍ବରେ ତଦନ୍ତ ଚାଲିଛି।



