
ଆସିକା,୨୦/୧୧(ଖିରୋଦ ଚନ୍ଦ୍ର ବେହେରା); ଆସିକା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମର କେଉଟଲୁଣ୍ଡି ବନ୍ଧରୁ ମାଛ ଚୋରୀ ଘଟଣାରେ ସେହି ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗରିଫ କରିଥିବା ଜଣାଯାଇଛି । ବ୍ୟକ୍ତି ଦୁଇ ଜଣ ପୂର୍ବରୁ ଅନେକ ଥର ମାଛ ଚୋରି କରୁଥିବା ଅଭିଯୋଗ ରହିଥିଲା । ଏହି ନିଲାମ ବନ୍ଧରୁ ଦିର୍ଘ ଦିନ ହେଲା ଯୋଗୀ ଦାଶ ଓ ଶଙ୍କର ଦାଶ , ଟୁଲୁ ସ୍ୱାଇଁ ତିନି ଜଣ ମିଶି ରାତି ଅଧିଆ ଜାଲ ପକାଇ ମାଛ ଚୋରି କରି ଆସୁଥିଲେ । ଗୋତା ନେଇଥିବା ବୃନ୍ଦାବନ ସ୍ୱାଇଁ ଏହି ମାଛ ଚୋରି ଘଟଣାରେ ସନ୍ଦେହ କରି ଗତକାଲି ରାତିରେ ଜଗିଥିବା ବେଳେ ଏମାନଙ୍କୁ କାବୁ କରିଥିଲେ । ଘଟଣା ସ୍ଥଳରୁ ଟୁଲୁ ସ୍ୱାଇଁ ଦୈାଡି ପଳାଇଥିବା ବେଳେ ଶଙ୍କର ଦାଶ ଓ ଯୋଗୀ ଦାଶ ୨୦ କେଜି ମାଛ ଓ ଜାଲ ସହିତ ଧରି ପୋଲିସକୁ ଜିମା ଦେଇଥିଲେ । କିଛି ଦିନ ହେଲା ବିଭିନ୍ନ ଗ୍ରାମରେ ଭେଟନଇ , ପଲ୍ଲୀମାଳ, ବାବନପୁର, ଆସିକା,ନୂଆଗାଁ ପ୍ରମୁଖ ଅଚଂଳର ମାଛ ଚୋରୀ ର୍ୟାକେଟ ଦ୍ୱାରା ଧାରାବାହିକ ଭାବେ ବିଭିନ୍ନ ନିଲାମ ବନ୍ଧରୁ ଚୋରି କରୁଥିବା ଅଭିଯୋଗ ହୋଇଛି । ଏହି ମାଛ ଚୋରି ଘଟଣାରେ ପୋଲିସ ଏକ ମୋକଦ୍ଧମା ରୁଜୁ କରି ଆସାମୀ ଶଙ୍କର ଦାଶ, ଯୋଗୀ ଦାଶକୁ କୋର୍ଟ ଚାଲାଣ କରିଥିବା ବେଳେ ଟୁଲୁ ସ୍ୱାଇଁ ଫେରାର ରହିଥିବା ଜଣାଯାଇଛି ।



