
ଭୁବନେଶ୍ୱର, ୧୬/୧୦/୨୧ (ଜିଲ୍ଲା ଖବର) : କଟକଣା ଭିତରେ ସରିଗଲା ଦଶହରା । ନିରାଡମ୍ବର ଭାବରେ ପୂଜା ପାଇଲେ ମା’ ଜଗତଜନନୀ । ଗତକାଲି ଦଶହରାର ଅନ୍ତିମ ଦିନରେ ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି ।
କରୋନା ଯୋଗୁଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ମଧ୍ୟରେ ନିରାଡମ୍ବର ଭାବେ ରାଜ୍ୟର ବିଭିନ୍ନ ଭାଗରେ ଦଶମୀ ପୂଜା ଶେଷ ହୋଇଛି। ଆଜି ଭଷାଣୀ। ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା। ପୁଣି ବର୍ଷକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଧରାପୃଷ୍ଠକୁ ଆସିବେ ଜଗତଜନନୀ । ରୀତିନୀତି ଅନୁୟାୟୀ ମାଙ୍କର ପୂଜାର୍ଚ୍ଚନା ହେଲା କିନ୍ତୁ ନଥିଲା ପୂର୍ବ ଭଳି ଉତ୍ସାହ ।
ମନର କୋହକୁ ମନରେ ମାରି ପରଦା ପଛପଟୁ ଦୁରରେ ଥାଇ ଦେବୀଙ୍କୁ ଆରାଧନା କଲେ ଭକ୍ତ । ସେପଟେ ଭଷାଣୀ ପାଇଁ ବିଏମସି ଓ ସିଏମସି ପକ୍ଷରୁ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । କୁଆଖାଇ ନଦୀରେ ଦୁଇଟି ଓ ଦୟୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରି କରିଛି ପ୍ରଶାସନ । ଶାନ୍ତି ଶୃଙ୍ଖଳା ସହ ବିସର୍ଜନ କରିବା ପାଇଁ ଭୁବନେଶ୍ୱର ଶାନ୍ତି କମିଟି ସମସ୍ତ ପୂଜା କମିଟିକୁ ଜଣାଇଦେଇଛି ।


