
୧୩/୧୦/୨୧ (ଜିଲ୍ଲା ଖବର) : ଆଜିଠୁ ଆରମ୍ଭ ହେବ ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ। ଦିଲ୍ଲୀର ପ୍ରଗତି ମଇଦାନ ଠାରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦେଶର ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାରଙ୍କ ଏହା ହେଉଛି ଐତିହାସିକ ପରିକଳ୍ପନା। ଏହା ଏକ ଏମିତି ପ୍ଲାଟଫର୍ମ ଯେଉଁଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଯୋଜନା ବିଭିନ୍ନ ପ୍ରମୁଖ ଯୋଜନା ଯଥା- ଭାରତମାଳା, ସାଗରମାଳା, ଉଡାନ, ରେଳ ଭିତ୍ତିଭୂମି ସମ୍ପ୍ରସାରଣ, ଅନ୍ତର୍ଦେଶୀୟ ଜଳପଥ ଏବଂ ଭାରତ ନେଟ୍ ଭଳି ପ୍ରକଳ୍ପ ସାମିଲ ରହିବ।
ସେହିପରି ରାଜ୍ୟ ସରକାର ମାନଙ୍କ ଭିତ୍ତିଭୂମି ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ ରହିବ ବୋଲି ଜଣାପଡିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୧୦୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଦେଶର ୧୨ଶହରୁ ଊର୍ଦ୍ଧ୍ୱ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ସମେତ ୨ ପ୍ରତିରକ୍ଷା କରିଡରକୁ ସଂଯୋଗ ବ୍ୟବସ୍ଥା କରାଯିବ। ଦେଶର ଭିତ୍ତିଭୂମି ବିକାଶରେ ୧୦୦ଲକ୍ଷ କୋଟି ଟଙ୍କା ବିନିଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ଅଭିଭାଷଣରେ କହିଥିଲେ।



