
୧୧/୧୦/୨୧ (ଜିଲ୍ଲା ଖବର ) : ପାର୍ବଣର ଆଗମନରେ ଜାରି ରହିଛି ମା’ଙ୍କ ନବରାତ୍ର ପୂଜା । ତେବେ ପରମ୍ପରା ଅନୁଯାୟୀ ବିଶ୍ୱାସ ରହିଛି ନବରାତ୍ରୀରେ ମା’ଙ୍କର ଭିନ୍ନ ଭିନ୍ନ ସ୍ୱରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ଆଜି ମହାଷଷ୍ଟୀରେ ବିଲ୍ୱବରଣ ପରେ ମଧ୍ୟରାତ୍ରରେ ଧରାବତରଣ କରିବେ ଜଗତଜନନୀ। ମା’ ଦୁର୍ଗାଙ୍କ ଆଗମନକୁ ନେଇ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ମଣ୍ଡପ ମାନଙ୍କରେ ମା’ଙ୍କ ପୂଜାର୍ଚ୍ଚନା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସରକାରୀ ଗାଇଡଲାଇନ ମୁତାବକ ମଣ୍ଡପ ମାନଙ୍କରେ ମା’ ଙ୍କର ପୂଜାର୍ଚ୍ଚନା ହେବ ବୋଲି ଜଣାପଡିଛି। ସେହିପରି ରାଜ୍ୟବ୍ୟାପୀ ବିଭିନ୍ନ ଦେବୀ ପୀଠ ମାନଙ୍କରେ ଷୋଡଶ ଉପଚାର ଅନୁଯାୟୀ ମା’ଙ୍କ ସପ୍ତମୀ ପୂଜା ଚାଲିଥିବା ଦେଖିବାକୁ ମିଳିଛି।
ସେପଟେ ମା’ ଆଜି ଷଷ୍ଠ ଦିବସରେ ମା କାତ୍ୟାୟନୀ ବେଶରେ ଦର୍ଶନ ଦେବେ। ତେବେ ମା’ଙ୍କ କାତ୍ୟାୟନୀ ବେଶର ମହତ୍ତ୍ୱ କଣ ରହିଛି ଆଜି ଧର୍ମକଥାରେ ତାହା ଜାଣିବା।
କାତ୍ୟାୟନୀ ବେଶ:
ନବାରାତ୍ରୀ ଅବସରରେ ପୂଜା ପାଉଛନ୍ତି ଦେବି ଦୁର୍ଗାଙ୍କର ୯ଟି ସ୍ୱରୂପ । ଆଜି ଷଷ୍ଠ ଦିନରେ ପୂଜା ପାଉଛନ୍ତି ମା’ କାତ୍ୟାୟନୀ। ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ।
ମାତା କାତ୍ୟାୟନୀ ଚତୁର୍ଭୁଜା ହୋଇଥିବାବେଳେ, ୨ଟି ହାତରେ କମଳ ଓ ଖଣ୍ଡା ଧରି ବସିଛନ୍ତି, ଆଉ ଅନ୍ୟ ୨ଟି ହାତ ଜଗତର ମଙ୍ଗଳ ପାଇଁ ଆଶୀର୍ବାଦ ଦେଉଛନ୍ତି । ମାଆଙ୍କର ବାହାନ ହେଉଛି ସିଂହ।
କୁହାଯାଏ ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତିକୁ ତାର ସମସ୍ତ ଇନ୍ଦ୍ରୀୟ ବଶ କରିବାର ଶକ୍ତି ପ୍ରାପ୍ତ ହୋଇଥାଏ ।ପୌରାଣିକ ମତରେ, ଯେଉଁ କନ୍ୟାର ବିବାହ ବିଳମ୍ବ ହେଉଛି ବିଧି ମୁତାବକ, ମାଆଙ୍କର ପୂଜା କଲେ ବାହାଘର ହୋଇଯାଏ।


