Tuesday, October 13, 2026
Home ଅପରାଧ ୧୫ ଦିନ ତଳେ ବିଜେଡି ନେତା କହିଥିଲେ ‘ମୋହନଙ୍କ ଅଣ୍ଟା ଭାଙ୍ଗିଦେବୁ’

୧୫ ଦିନ ତଳେ ବିଜେଡି ନେତା କହିଥିଲେ ‘ମୋହନଙ୍କ ଅଣ୍ଟା ଭାଙ୍ଗିଦେବୁ’

26

୧୦/୧୦/୨୧ (ଜିଲ୍ଲା ଖବର) : କେନ୍ଦୁଝର ସଦରର ବିଜେପି ବିଧାୟକ ମୋହନ ମାଝିଙ୍କ ଗାଡି ଉପରକୁ ବୋମାମାଡ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ମୋହନଙ୍କ ଉପସ୍ଥିତିରେ ତାଙ୍କ ଗାଡି ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି ବୋଲି ଖୋଦ୍ ବିଧାୟକ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଶିକ୍ଷାବିକାଶ ସମିତି କାର୍ଯ୍ୟଳୟରେ ମଜଦୂର ସଂଘର ଏକ ବୈଠକ ଅନୁଷ୍ଠିତ ହେଉଥିଲା। ଯେଉଁଠିକୁ ଅତିଥି ହୋଇ ଆସିଥିଲେ ବିଧାୟକ ମାଝି । ଦିନ ପାଖାପାଖି ୧୨ଟା ସମୟରେ ସେ ବୈଠକରୁ ଗାଡି ପାଖକୁ ଫେରୁଥିବା ବେଳେ ୨ ଜଣ କଳା ସାର୍ଟ ପିନ୍ଧା ଯୁବକଙ୍କୁ ଦେଖିଥିଲେ। ସେମାନେ ହୋଣ୍ଡା ସାଇନ୍ ଗାଡିରେ ଘଟଣାସ୍ଥଳକୁ ଆସିଥିଲେ। ଏବଂ ମୋହନଙ୍କୁ ଦେଖି ସେମାନଙ୍କ ଭିତରୁ ଜଣେ ଗାଡି ପାଖକୁ ବୋମା ମାଡ କରିଥିଲା। ଯାହାକୁ ବିରୋଧ କରିବାକୁ ଯାଇ ବିଧାୟକ ଓ ତାଙ୍କ ସହ ଥିବା କିଛି ବ୍ୟକ୍ତି ପାଟି କରିଥିଲେ। ଏହି ସମୟରେ ଗାଡିରେ ବସି ଦୁର୍ବୃତ୍ତ ଆଉ ଗୋଟିଏ ବୋମା ଫୋପାଡିଥିଲେ। ଫଳରେ ମୋହନଙ୍କ ଗାଡିର ସାମ୍ନା ପାର୍ଶ୍ୱଟି କ୍ଷତିଗ୍ରସ୍ତ ହୋଇଛି। 

ଅଭିଯୁକ୍ତମାନେ ନରଣପୁର ଆଡକୁ ଚାଲି ଯାଉଥିବା ଦେଖି ବିଧାୟକଙ୍କ ପିଏସ୍ ତାଙ୍କର ପିଛା କରିଥିଲେ । ହେଲେ ନିକଟରେ ଥିବା ଏକ ପେଟ୍ରୋଲ ଟାଙ୍କି ପାଖରେ ୟୁଟର୍ଣ୍ଣ କରି ସେମାନେ ମଣ୍ଡୁଆ ରାସ୍ତାରେ ଫେରାର ହୋଇଯାଇଥିଲେ। 
ଏ ନେଇ ବିଧାୟକ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି।
ମୋହନଙ୍କ କହିବା କଥା, ତାଙ୍କର କାହା ସହ କିଛି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଏହି ଘଟଣା ସମ୍ଭବତଃ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ୧୫ ଦିନ ପୂର୍ବରୁ ବିଜେଡିର ଗୋଟିଏ ମିଟିଂରେ ସ୍ଥାନୀୟ ବିଜେଡି ନେତା ରାଜା ଚକ୍ର କହିଥିଲେ କି ‘ଆମେ ମୋହନଙ୍କ ଅଣ୍ଟା ଭାଙ୍ଗିଦେବୁ।’ଏଣୁ ରାଜନୈତିକ ଶତ୍ରୁତା ପାଇ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।