
ନୂଆଦିଲ୍ଲୀ ; ଜାତୀୟ ପ୍ରେସ ଦିବସ ଅବସରରେ ଆଜି ନୂଆଦିଲ୍ଲୀଠାରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ ‘ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ନିମନ୍ତେ ଜାତୀୟ ପୁରସ୍କାର-୨୦୧୯ ପ୍ରଦାନ କରିଛନ୍ତି । ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମରେ ସାମ୍ବାଦିକତାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ବରିଷ୍ଠ ତଥା କର୍ତ୍ତବ୍ୟନିଷ୍ଠ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି ଗଣମାଧ୍ୟମର ଗୁରୁତ୍ୱ ଏବଂ ଭୂମିକା ଉପରେ ଆଲୋକପାତ କରିଥିଲେ । ଦେଶର ପ୍ରଥମ ସମ୍ବାଦପତ୍ର ‘ଦ ବେଙ୍ଗଲ ଗେଜେଟ’ ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ ହିକିଙ୍କ ଦ୍ୱାରା ପ୍ରକାଶ ପାଇବା ପରଠାରୁ ଜନସାଧାରଣଙ୍କ ସଶକ୍ତିକରଣ ଲାଗି ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଉପରାଷ୍ଟ୍ରପତି କହିଥିଲେ ଯେ ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକ ଓ ଦର୍ଶକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ ଓ ନିରପେକ୍ଷ ସୂଚନା ପହଁଚାଇବା । ସୋସିଆଲ ମିଡିଆ ଓ ସ୍ମାର୍ଟ ଫୋନର ଯୁଗରେ ପ୍ରତି ମୁହୂର୍ତ୍ତରେ ‘ମିଛ ଖବର’ ପ୍ରସାରିତ ହେଉଥିବାରୁ ଏଥିପ୍ରତି ଅଧିକ ସତର୍କ ରହିବା ଏବଂ ଲୋକଙ୍କ ନିକଟରେ ସତ୍ୟ ଖବର ପହଁଚାଇବା ଲାଗି ସାମ୍ବାଦିକମାନଙ୍କୁ ଉପରାଷ୍ଟ୍ରପତି ଆହ୍ୱାନ କରିଥିଲେ । କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ବିକାଶମୂଳକ ଖବରକୁ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ମଧ୍ୟ ଶ୍ରୀ ନାଇଡ଼ୁ କହିଥିଲେ । ଦେଶରେ ଦାୟିତ୍ୱସମ୍ପନ୍ନ ସାମ୍ବାଦିକତାର ପ୍ରୋତ୍ସାହନ ଦିଗରେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ଭୂମିକାକୁ ସେ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ମାର୍ଗଦର୍ଶିକା ‘ସାମ୍ବାଦିକତା ଆଚରଣ ସଂହିତା ମାନକ”ର ୨୦୧୯ ସଂସ୍କରଣକୁ ଉପରାଷ୍ଟ୍ରପତି ଉନ୍ମୋଚନ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମ ଜଗତ ସମ୍ମୁଖିନ ହେଉଥିବା ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆଜି ପେଡ୍ ନ୍ୟୁଜ (ଅର୍ଥ ବଦଳରେ ଖବର) ଅପେକ୍ଷା ମିଛ ଖବର (ଫେକ ନ୍ୟୁଜ)ର ସଂକଟ ଦେଖାଦେଇଛି । ଫେକ ନ୍ୟୁଜ ଅଧିକ ଲୋକପ୍ରିୟ କିନ୍ତୁ ଏହା ସମାଜ ଓ ଦେଶ ପାଇଁ ଭଲ ନୁହେଁ । ଗଣମାଧ୍ୟମ ନିଜ ଦାୟିତ୍ୱକୁ ବୁଝିବା ସହିତ ପାଠକ ଓ ଦର୍ଶକଙ୍କ ନିକଟରେ ସଠିକ ଖବର ପହଁଚାଇବା ଆବଶ୍ୟକ ବୋଲି ଶ୍ରୀ ଜାଭଡେକର କହିଥିଲେ ।
ଏହି କାର୍ୟ୍ୟକ୍ରମ ଅବସରରେ ବିଶିଷ୍ଟ ସାମ୍ବାଦିକ ତଥା ରାଜସ୍ଥାନ ପତ୍ରିକାର ଅଧ୍ୟକ୍ଷ ଶ୍ରୀ ଗୁଲାବ କୋଠାରୀଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ମାନଜନକ “ରାଜା ରାମମୋହନ ରାୟ ପୁରସ୍କାର”ରେ ସମ୍ମାନିତ କରାଯାଇଥିଲା । ଦୈନିକ ଭାସ୍କରର ପ୍ରତିନିଧି ସଞ୍ଜୟ ସାଇନି, ଇଣ୍ଡିଆ ଟୁଡେର ଗ୍ରୁପ ଏଡିଟୋରିଆଲ ଡାଇରେକ୍ଟର ରାଜ ଚେଙ୍ଗାପ୍ପାଙ୍କୁ ଗ୍ରାମାଂଚଳ ସାମ୍ବାଦିକତା କ୍ଷେତ୍ରରେ ପୁରସ୍କୃତ କରାଯାଇଥିଲା । ବିକାଶମୂଳକ ସାମ୍ବାଦିକତା ନିମନ୍ତେ ଦୈନିକ ଜାଗରଣର ବରିଷ୍ଠ ଖବରଦାତା ଶିବ ସ୍ୱରୂପ ଅୱସ୍ତି ଓ ମାତୃଭୂମି, କାଲିକଟର ସହ ସମ୍ପାଦକ ଅନୁ ଆବ୍ରାହିମଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଫଟୋ ସାମ୍ବାଦିକତା, କ୍ରୀଡ଼ା ସାମ୍ବାଦିକତା, ବ୍ୟବସାୟ ସାମ୍ବାଦିକତା ଆଦି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ରୋତ-ପିଆବି



