Tuesday, November 17, 2026
Home ଆଞ୍ଚଳିକ ଆସିକା ମହାବିଦ୍ୟାଳୟରେ ଯୁବ ରେଡକ୍ରସର କ୍ଳଷ୍ଟରସ୍ତରୀୟ ସ୍ବେଚ୍ଛାସେବୀ ଅନୁଶୀଳନ ଓ ତାଲିମ ଶିବିର ଉଦଘାଟନ

ଆସିକା ମହାବିଦ୍ୟାଳୟରେ ଯୁବ ରେଡକ୍ରସର କ୍ଳଷ୍ଟରସ୍ତରୀୟ ସ୍ବେଚ୍ଛାସେବୀ ଅନୁଶୀଳନ ଓ ତାଲିମ ଶିବିର ଉଦଘାଟନ

50

ଆସିକା, ୯/୧୦(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ତତ୍ତ୍ବାବଧାନରେ ଏବଂ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଶାଖା ତରଫରୁ ଏକ ତିନି ଦିନିଆ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ପାଠ୍ୟକ୍ରମ ତଥା ତାଲିମ୍ ଶିବିରର ଉଦଘାଟନୀ ବୈଠକ ହୋଇଯାଇଛି। ଶିବିରର ସମସ୍ତ ଅତିଥି ଏବଂ ସ୍ବେଚ୍ଛାସେବୀଙ୍କ ଦ୍ବାରା ଯୁବରେଡକ୍ରସର ପତ୍ତାକା ଉତ୍ତୋଳନ ସହ ସେବା ଓ ସହଯୋଗର ଶପଥ ପାଠ କରାଯାଇଥିଲା। ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ବଳନ, ବେଦମନ୍ତ୍ର ପାଠ ସହ ସ୍ବେଚ୍ଛାସେବୀ ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ ହୋଇଥିଲା। ଏଥିରେ ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମାନ୍ ରୋସନ୍ ଶତପଥୀ ମୁଖ୍ୟ ଅତିଥିରୂପେ ତଥା ବି. ଗୋବିନ୍ଦ ରାଓ, ଅଧ୍ୟକ୍ଷ କ୍ଷତ୍ରୀୟବରପୁର, ଗଂଜାମ ଏବଂ ଗଂଜାମ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ସମନ୍ବୟକାରୀ, ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ। ଏଥିରେ ସଂସାଧନ ବ୍ୟକ୍ତିତ୍ବରୂପେ ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦର ଓଡ଼ିଆ ପ୍ରାଧ୍ୟାପକ ପ୍ରଫେସର ଲୋକନାଥ ମହାନ୍ତି ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ତଥା ଉପଢୌକନ ମାଧ୍ୟମରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପଦେଷ୍ଟା ଯୁବ ଅଧ୍ୟାପକ ଦେବବ୍ରତ ସାହୁ ଅତିଥି ପରିଚୟ ସହ ଶିବିରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି କାହାଣୀ ମାଧ୍ୟମରେ ମାନବୀୟ ମୂଲ୍ୟବୋଧ ଉପରେ ନିଜର ମତବ୍ୟକ୍ତ କରିଥିଲେ। ସମ୍ମାନନୀୟ ଅତିଥି ସଂଗୀତ ମାଧ୍ୟମରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ପ୍ରାକୃତିକ ବିପର୍ଯୟ ସମୟରେ କିପରି ସ୍ବେଚ୍ଛାସେବୀ ମାନେ ସଙ୍କଟାପର୍ଣ୍ଣ ଲୋକମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇପାରିବେ ସେଥିପ୍ରତି ସମସ୍ତଙ୍କୁ ସଚ଼େତନ କରାଇଥିଲେ।

ଯୁବରେଡକ୍ରସର ସଂସାଧନ ବ୍ୟକ୍ତିତ୍ବ ରେଡକ୍ରସର ଇତିହାସ ଏବଂ ରେଡକ୍ରସର ପ୍ରତିଷ୍ଠାତା ଜନ୍ ହେନରୀ ଡ୍ୟୁନଟ୍ ଙ୍କ ଉପରେ ସବିଶେଷ ଆଲୋଚନା କରିଥିଲେ। ସୋମନାଥ ମହାବିଦ୍ୟାଳୟ ମୁଣ୍ଡମରାଇର ଅଧ୍ୟାପକ ତଥା ଯୁବରେଡକ୍ରସ୍ ଉପଦେଷ୍ଟା ଶଂକର ସାହୁ ରକ୍ତଦାନର ମହତ୍ ଉଦ୍ଦେଶ୍ୟ ବିଷୟରେ ପର୍ଯ୍ୟାଲୋଚନା କରିଥିଲେ। ଏଥିରେ ପାଞ୍ଚୋଟି ମହାବିଦ୍ୟାଳୟର ଯୁବରେଡକ୍ରସ୍ ଉପଦେଷ୍ଟା ତଥା ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଚ଼େତନତାମୂଳକ ନିବନ୍ଧ ଏବଂ ବକୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ବୈଠକରେ କେ.ବି.ଭି. ମହାବିଦ୍ୟାଳୟ, କବିସୂର୍ଯ୍ୟନଗର ଯୁବ ରେଡକ୍ରସର ଉପଦେଷ୍ଟା ପ୍ରାଧ୍ୟାପକ ତନୁଜ କୁମାର ବିଷୋୟୀ, ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଉପଦେଷ୍ଟା ଲକ୍ଷ୍ମଣ କୁମାର ସୋରେନ୍ ଏବଂ ମେକ୍ ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟର ଉପଦେଷ୍ଟା ସନାତନ ପଣ୍ଡା ଯୋଗଦାନ କରିଥିଲେ। ପରିଶେଷରେ ଉପଦେଷ୍ଟା ଅଧ୍ୟାପକ ରାଜେଶ୍ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।