
୦୯/୧୦/୨୧ (ଜିଲ୍ଲା ଖବର) : ଜଳାର୍ଣ୍ଣବ ଓଡ଼ିଶା । ମଣିଷ ସହ ଗାଈଗୋରୁ ବି ପାଣି ଘେରରେ । ଆଉ ଏପଟେ ଗୋଟାଏ ବୋଲି ପୁଅ ବି ତାଙ୍କର ଜରରେ ପଡିଥାଏ। ଆଣ୍ଠୁ ଲୁଚୁ ନ ଥିବା ଧଳା ଧୋତି ଖଣ୍ଡିଏ ପିନ୍ଧି ଷଠି ଘର ବାରଣ୍ଡାରୁ ଅଗଣା ଯାଏଁ ଚିନ୍ତାମଗ୍ନ ହୋଇ ବୁଲୁଥାନ୍ତି, ଏ ଜାତୀର ତ୍ରାଣକର୍ତ୍ତା ଉତ୍କଳମଣି ଗୋପବନ୍ଧୁ।
ବାହାରେ ବନ୍ୟା ବିତ୍ପାତ…। ଚାରିଆଡେ ହାହାକାର.. । ପୋକ ମାଛି ପରି ଗୋରୁ ଗାଈ ମରି ପଡୁଥାନ୍ତି ତ କେଉଁଠି ଅସହାୟ ଲୋକଙ୍କ ଚିତ୍କାର ତାଙ୍କୁ ବ୍ୟତିବ୍ରସ୍ତ କରି ପକାଉଥାଏ ।
କଣ କରିବେ। କୁଆଡେ ଯିବେ । କିଛି ବୁଦ୍ଧିବାଟ ଦିଶୁ ନ ଥାଏ ତାଙ୍କୁ ।
ଗୋଟିଏ ପଟେ ଜନ୍ମକଲା ପୁଅ, ଆଉ ଗୋଟେ ପଟେ ଓଡ଼ିଶାର ଭୁଭୁକ୍ଷୁ ମଣିଷ ।
ଶେଷରେ ମନ କଥା ଶୁଣିଲେ ସିଏ।
ଲୋକଙ୍କ ଚିତ୍କାର ଆଗରେ ସେ ପୁଅର କୋହକୁ ଆଡେଇ ଦେଇ ଚାଲିଗଲେ ବନ୍ୟା ବିପନ୍ନଙ୍କୁ ଚୁଡା ଚାଉଳ ବାଣ୍ଟିବାକୁ। ଆଉ ଏଇ ଚୁଡା ଚାଉଳ ବାଣ୍ଟିଲା ବେଳକୁ ଏପଟେ ପୁଅ ତାଙ୍କର ଆଖି ବୁଜିଦିଏ।
୧୮୭୭ ଅକ୍ଟୋବର ୯ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଲକ ଭାର୍ଗବୀ ନଦୀ କୂଳର ସୁଆଣ୍ଡୋରେ ସେହି ପୁଣ୍ୟାତ୍ମାଙ୍କର ଜନ୍ମ ହୁଏ। ପିତା ଦୈତାରୀ ଦାଶ ଓ ମା ସ୍ବର୍ଣ୍ଣମୟୀ ଦାବୀ। ହେଲେ ପିଲାବେଳେ ମା’ ସ୍ନେହ ତାଙ୍କ ଭାଗରେ ନ ଥାଏ। ପିଲାବେଳୁ ମାତୃହରା ହୋଇଥିବା ଗୋପବନ୍ଧୁ ବିଧବା ପିଉସୀ କମଳା ଦେବୀଙ୍କ ଦ୍ବାରା ପ୍ରତିପାଳିତ ହୁଅନ୍ତି। ୧୨ ବର୍ଷ ବୟସରେ ପ୍ରାଇମେରୀ ସ୍କୁଲରେ ପଢୁଥିବା ବେଳେ ମୋତି ଦେବୀଙ୍କୁ ବାହାଘର ହୁଏ। ପରେ ରୁପଦେଇପୁର ଭର୍ଣ୍ଣକୁଲାର ସ୍କୁଲ ଏବଂ ଶେଷରେ ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢି। ରେଭେନ୍ସାରେ କଲେଜ ମାଟି ମାଡନ୍ତି। ପାଠ ପଢିଲା ବେଳେ ପୁରୀରେ ହଇଜା ମାତେ । ଗୋପବନ୍ଧୁ ନିଷ୍ପତ୍ତି ନିଅନ୍ତି, ପୁରୀ ସେବା ସମିତି ନାମରେ ଏକ ସଙ୍ଗଠନ ଗଢିବାକୁ। ଯାହା ମାଧ୍ୟମରେ ସେବା କାର୍ଯ୍ୟ ଆରମ୍ଭ ହୁଏ । ୧୮୯୯ରେ ରେଭେନ୍ସା କଲେଜରେ ନାମ ଲେଖାନ୍ତି। ୧୯୦୩ରେ ମଧୁବାବୁଙ୍କ ସହ ମିଶି ନୂଆ ଓଡ଼ିଶା ଗଠନର ସଙ୍କଳ୍ପ ନିଅନ୍ତି । ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକରେ ବିଚ୍ଛିନ୍ନାଞ୍ଜଳକୁ ମିଶାଇବାର ପ୍ରକ୍ରିୟା ଆରମ୍ଭ ହୁଏ ।
୧୯୦୪ ମସିହାର ଘଟଣା ଦୋହଲାଇଲା ଭଳି । ସେହି ବର୍ଷ କୁଶଭଦ୍ରେ ନଦୀ ବନ୍ଧ ଭାଙ୍ଗି ବନ୍ୟା ବିତ୍ପାତରେ ଲୋକେ ହନ୍ତସନ୍ତ ହେଉଥାନ୍ତି । ଘରେ ଗୋଟିଏ ବୋଲି ପୁଅ ଜରରେ ପଡିଥାଏ । ହେଲେ ଏପଟେ ଶହ ଶହ ଲୋକଙ୍କ ଚିନ୍ତା । ଗୋପବନ୍ଧୁ ଜଗନ୍ନାଥଙ୍କୁ ହାତ ଟେକି ପୁଅକୁ ଛାଡି ବନ୍ୟା ଅଞ୍ଚଳରେ ଚୁଡା ଚାଉଳ ବାଣ୍ଟିବାକୁ ଯାଆନ୍ତି । ଆଉ ଏହି ସମୟରେ ପୁଅର ମୃତ୍ୟୁ ଘଟେ। ବୋଧେ ଏହାକୁ କୁହନ୍ତି ସେବା…ଆଜିର ଏହି ପବିତ୍ର ଦିନରେ ମନେ ପଡେ ସେ ପଂକ୍ତି ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲିଯାଆନ୍ତୁ ପିଠିରେ…


