
ମୟୂରଭଞ୍ଜ, ୦୯/୧୦/୨୧ (ଜିଲ୍ଲା ଖବର) : ବାରିପଦା PRM ହସ୍ପିଟାଲ ଛାତରୁ କଂକ୍ରିଟ ଅତଡା ଖସିବା ଘଟଣା । ୫ ଦିନ ପରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଚକ୍ରଧର ସିଂଙ୍କ ମୃତ୍ୟୁ ହୋଇଛି । ବାରିପଦା ସହର ନିକଟ ପୋଡା ଅସ୍ତିଆ ଅଞ୍ଚଳର ଚକ୍ରଧର ସିଂ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ହେବାରୁ ତାଙ୍କୁ PRM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ହସ୍ପିଟାଲରେ ବେଡ ନମିଳିବାରୁ ଚକ୍ରଧରଙ୍କୁ ବାରଣ୍ଡାରେ ରହିବାକୁ ଦିଆଯାଇଥିଲା । ହସ୍ପିଟାଲ ଛାତରୁ ଏକ କଂକ୍ରିଟ ଖଣ୍ଡ ତାଙ୍କ ମୁଣ୍ଡ ଉପରେ ପଡିଯିବାରୁ ସେ ଚେତାଶୁନ୍ୟ ହୋଇଯାଇଥିଲେ । କ୍ରମଶଃ ସେ ଗୁରୁତର ହୋଇଯିବାରୁ ପରିବାର ପକ୍ଷରୁ ଚିକିତ୍ସା ନିମନ୍ତେ ଦାବି କରାଯିବା ପରେ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ବିଳମ୍ବିତ ରାତିରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଚକ୍ରଧରଙ୍କ ମୃତ୍ୟୁ ହୋଇଛି । ମୃତଶରୀର ନିଜ ଘର ପୋଡାଅସ୍ତିଆଠାରେ ପହଞ୍ଚିବା ପରେ , ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ ପୋଡାଅସ୍ତିଆ ଛକଠାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୫ଲକ୍ଷ ଟଙ୍କା ଦାବି କରି ବାରିପଦା-ଉଦଳା ରାଜ୍ୟ ରାଜପଥକୁ ବନ୍ଦ କରି ରଖିଛନ୍ତି ।



