
ମୁମ୍ବାଇ, ୦୯/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ଚାଲିଥିବା ରେଭ୍ ପାର୍ଟିରେ ଅଚାନକ୍ ଚଢାଉ କରିଥିଲା ଏନସିବି । ଏହାପରେ ବଲିଉଡ ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ଅରବାଜ୍ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କୁ ସେଠାରୁ ଗିରଫ କରିଥିଲା । ଅକ୍ଟୋବର ୨ରେ ଏହି ତିନିଜଣଙ୍କୁ ଗିରଫ ପରେ, ଏବେ ଯାଏଁ ଆଉ କିଛି ଜଣଙ୍କୁ ଗିରଫ କରି ସାରିଲାଣି ଏନସିବି ।
ତେବେ ଏହି କେତେଜଣଙ୍କୁ ଗିରଫ କରିବା ପରେ, ଚୁପ୍ ବସିନାହିଁ ଏନସିବି । ଏବେବି ତାର ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଖବର ଅନୁଯାୟୀ, ଏବେ ବାନ୍ଦ୍ରାସ୍ଥିତ ଚଳିଚିତ୍ର ନିର୍ମାତା ଇମତିଆଜ୍ ଖତ୍ରିଙ୍କ ଘର ଏବଂ କାର୍ଯ୍ୟାଳୟରେ ଏନସିବି ଚଢାଉ କରିଛି । ଏବଂ ଆଜି ତାଙ୍କୁ ମୁମ୍ବାଇରେ ପଚରାଉଚୁରା ପାଇଁ ଡକାଇଛି ଏନସିବି । ମୁମ୍ବାଇର ଅନେକ ବଡ କଳାକାରଙ୍କ ସହ ଇମତିଆଜଙ୍କର ସଂଯୋଗ ଅଛି ।
ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଇମତିଆଜଙ୍କ ନାମ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ସ୍ୱର୍ଗତ ଅଭିନେତାଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ମଧ୍ୟ ଥିଲା ।



