
ଖୋର୍ଦ୍ଧା,୦୮/୧୦/୨୧ (ଜିଲ୍ଲା ଖବର) : ଆତଙ୍କ ଖେଳାଇଛନ୍ତି ଦନ୍ତାହାତୀ। ଗାଁରେ ପଶି ଧାନଫସଳ ନଷ୍ଟ କରୁଛନ୍ତି। ଖୋର୍ଦ୍ଧା ବନଖଣ୍ଡ ଟାଗିଂ ବନାଚଂଳ ସରପାରୀ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଦନ୍ତାହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଦନ୍ତାହାତୀ ଦିନରେ ନିକଟସ୍ଥ ସଂରକ୍ଷିତ ଜଂଗଲରେ ରହୁଥିବା ବେଳେ ରାତିରେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛି । ଦନ୍ତାହାତୀ ସଂନ୍ଧ୍ୟା ସମୟରେ ସରପାରୀ,ବଘେଇପୁଟ ଓ ରତାମାଟି ଗ୍ରାମ ନିକଟସ୍ଥ ଜଂଗଲରେ ଚଳପ୍ରଚଳ କରୁଥିବାରୁ ଲୋକେ ଭୟଭୀତ ଅଛନ୍ତି।
ଦୁଇଟି ଦନ୍ତା ହାତୀ ରାସ୍ତା ପାର ହେଉଥିବା ଏବଂ ବାରି ବଗିଚାରେ ଓ ଧାନ ଫସଲ ଜମିରେ ପଶି ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ହାତୀ ଡରରେ ବଘେଇପୁଟ-ସରପାରୀ ଓ ରତାମାଟି ରାସ୍ତା ସଂପୂର୍ଣ୍ଣ ଭାବରେ ଶୂନଶାନ ହୋଇପଡିଛି।
ଏହାସହ ରାସ୍ତାରେ ଗାଡି ମୋଟର ଯାତାୟାତ ବନ୍ଦ ରହିଛି। ଲୋକେ ହାତୀକୁ ଦେଖି ଭୟଭୀତ ଥିବା ଜଣାପଡିଛି । ସଂନ୍ଧ୍ୟା ହୋଇଗଲେ ହାତୀ ଭୟରେ ରାସ୍ତାଘାଟ ଶୂନଶାନ ଲୋକେ ତାଟିକବାଟ ପକାଇ ଆତଙ୍କିତ ଅବସ୍ଥାରେ ଘରେ ରହୁଛନ୍ତି ।ଟାଗିଂ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ଟର୍ଚ୍ଚ ଲାଇଟ ଓ ବାଣ ଫୁଟାଇ ହାତୀକୁ ଘଉଡେଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ହାତୀ ଦୁଇଟିକୁ ତଡିବାରେ ବିଫଳ ହୋଇଛି ବନବିଭାଗ।


