Wednesday, November 11, 2026
Home ଆଞ୍ଚଳିକ ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବ

ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବ

73

୦୭/୧୦/୨୧ (ଜିଲ୍ଲା ଖବର) : ଆପଣ ପଢିଥିବା ଶୀର୍ଷକଟି ହେଉଛି ଏକ ଶ୍ଲୋକ । ଶ୍ରୀକ୍ଷେତ୍ରରେ ଶକ୍ତ ଓ ବୈଷ୍ଣବିୟ ଚେତନାକୁ ଏକତ୍ର କରିଥିବା ଏ ଶ୍ଲୋକର ଅର୍ଥ ହେଉଛି, ପବିତ୍ର ଶ୍ରୀକ୍ଷେତ୍ରର ଭୈରବୀ ହେଉଛନ୍ତି ଶକ୍ତି ସମ୍ଭୁତା ମା’ ବିମଳା ଏବଂ ଏହି କ୍ଷେତ୍ରର ଭୈରବ ହେଉଛନ୍ତି ସ୍ବୟଂ ଜଗନ୍ନାଥ ମହାପ୍ରଭୁ।

ଖାସ୍ ସେଇଥିପାଇଁ ସର୍ବତ୍ର ଭଗବାନ ଶିବଙ୍କ ମାତା ଦୁର୍ଗାଙ୍କ ଉପାସନା ହେଉଥିବା ବେଳେ ଉତ୍କଳରେ ବା ଓଡ଼ିଶାରେ ଦୁର୍ଗାଙ୍କ ସହ ମାଧବ ବା ଏକକ ଜଗନ୍ନାଥଙ୍କ ଉପାସନା ହୁଏ । ଆସନ୍ତୁ ଜାଣିବା ପାର୍ବଣର ଏହି ଦୁର୍ଗାମାଧବ ଉପାସନା ସମ୍ପର୍କରେ ।

ଜଗନ୍ନାଥ ମନ୍ଦିରରେ ଦେବୀ ଉପାସନାର ପ୍ରାରମ୍ଭ ଷୋଳପୂଜା(ଦଶହରାର ୧୬ଦିନ ପୂର୍ବରୁ)ରୁ ହୋଇଥାଏ । ଏହା ପୂବର୍ରୁ ପାଳିତ ହୋଇଥାଏ ଦୁର୍ରାଶୟନୋତ୍ସବ। ଶ୍ରୀଦୁର୍ଗାଦେବୀଙ୍କର ଶୟନକାଳ ହେଉଛି ଭାଦ୍ରବ ମାସ ଶୁକ୍ଲପକ୍ଷ ଅଷ୍ଟମୀଠାରୁ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ  । ଦେବୀ ଦୁର୍ଗା ଭାଦ୍ରବ ଶୁକ୍ଲ ଅଷ୍ଟମୀ ରାତ୍ରିରେ ଶୟନ କରନ୍ତି ଓ ଆଶ୍ଵିନ କୃଷ୍ଣ ଅଷ୍ଟମୀ ସକାଳେ ଶୟନରୁ ଉଠନ୍ତି। ଦୁର୍ଗାଙ୍କର ଶୟନକାଳ ନିର୍ଦ୍ଦିଷ୍ଟ ପନ୍ଦର ଦିନରୁ ବଢି ନ ଥାଏ। ତେଣୁ ତିଥି ବୃଦ୍ଧି ନ ଥିଲେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିର ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କର ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ପତିମହାପାତ୍ରଙ୍କ ହସ୍ତରେ ଆସି ସୋମନାଥ ମଣ୍ଡପ(ମାଜଣା ମଣ୍ଡପ)ଖଟ ଉପରେ ବିଜେ ହୁଆନ୍ତି।

ସେଠାରେ ପାଣିଆପଟ ସେବକ ଯୋଗାଇଥିବା ଏକ ସହସ୍ର ଗରା ଜଳଲାଗି କଲା ପରେ ଶ୍ରୀଅଙ୍ଗ ପୋଛା ପରେ ଲୁଗାଲାଗି ହୋଇ ବେଶ ହୋଇଥାନ୍ତି ଓ ପାର୍ବଣର ଅୟମାରମ୍ଭ ହୋଇଥାଏ।

ମା’ଙ୍କ ଏହି ସ୍ନାନକୁ ସହସ୍ରକୁମ୍ଭାଭିଶେଷକ କୁହାଯାଏ ।

ଏହାପରେ ଶୋଳପୂଜାରେ ଆରମ୍ଭ ହୁଏ ଶ୍ରୀମନ୍ଦିରର ‘‘ଶାକ୍ତ ଗୁଣ୍ଡିଚା ପର୍ବ’’। ଦେବୀ ଦୁର୍ଗାଙ୍କୁ କ୍ଷୁଦ୍ର ଜଗନ୍ନାଥ ବା ମାଧବ ପ୍ରତିମାଙ୍କ ସହ ଏକ ଚଉଦୋଳରେ ରୁନ୍ଧାଯାଇ ବିମଳା ମନ୍ଦିରକୁ ନିଆଯାଏ । ସେଠାରେ ପଞ୍ଚୋପଚାର ପୂଜା ପରେ ଦୁଇ ବିଗ୍ରହ ବାହୁଡ଼ା ବିଜେ କରନ୍ତି । ଶୋଳପୂଜାର ପ୍ରଥମ ୮ଦିନ ବିମଳା ମନ୍ଦିରରେ ଏହିପରି ଦୁର୍ଗାମାଧବ ଉପାସନା ହେଉଥିବା ବେଳେ ଶେଷ ଆଠ ଦିନ ଏକ ରଥାକୃତି ବିମାନରେ ଦୁଇ ବିଗ୍ରହ ଶ୍ରୀମନ୍ଦିର ବାହାରକୁ ବିଜେ କରନ୍ତି ।

ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରରେ ପୂଜା ହୁଅନ୍ତି ଦୁର୍ଗା ମାଧବ । ବିଷ୍ଣୁ ମାଧବ ବା ଜଗନ୍ନାଥଙ୍କ ସହ ଦୁର୍ଗାଙ୍କ ଏଭଳି ପୂଜା କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ । ଅନ୍ୟତ୍ର ବିଷ୍ଣୁଙ୍କ ସହ ଦୁର୍ଗାଙ୍କ ପୂଜା କେଉଁଠାରେ କରାଯାଏ ନାହିଁ । ଏଣୁ ଓଡ଼ିଆ ପରମ୍ପରାରେ ଅଧିକାଂଶ ଶୁଭକାର୍ଯ୍ୟରେ ଦୁର୍ଗାମାଧବ ପଟି ବା ଚିତ୍ରଟିଏ କଳସ ସଂଲଗ୍ନ ହୋଇ ପୂଜା କରିବାର ବିଧି ରହିଛି ।

କାହିଁକି ଦୁର୍ଗା ମାଧବ
ମାଧବ ବା ଏକକ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଇଷ୍ଟ। ଆଉ ଦୁର୍ଗା ହେଉଛନ୍ତି ଶକ୍ତି ପୁଞ୍ଜର ଆଧାରକର୍ତ୍ତି । ଏଣୁ ଏ ଉଭୟଙ୍କୁ ଏକାଠି ଉପାସନା କରାଯାଏ। ଓଡ଼ିଶାର ପରାକ୍ରମୀ ରାଜାମାନେ ବୈଷ୍ଣବ ଓ ଶାକ୍ତ ପରମ୍ପରାକୁ ଏକାଠି କରିବାକୁ ଏଭଳି କରିଥାଇପାରନ୍ତି ବୋଲି ଅନୁମାନ। ଏହାର ପ୍ରାମାଣିକତା ଆପଣଙ୍କୁ ଶ୍ରୀମନ୍ଦିର ମେଘନାଦ ପାଚେରି ଉପରେ ଦେଖିବାକୁ ମିଳିବ। ପାଚେରିର ଦକ୍ଷିଣ ଦିଗରେ, ବାହାର ଆଡ଼କୁ ମୁହଁ କରି ଏହି ଦୁର୍ଗା-ମାଧବ(ପ୍ରସ୍ତର ବିଗ୍ରହ) ବିରାଜମାନ ଅଛନ୍ତି। ପୂର୍ବେ ଯୁଦ୍ଧଯାତ୍ରା ବେଳେ, ଉତ୍କଳୀୟ ସେନା ଏହିଠାରୁ ହିଁ ତାଙ୍କୁ ଦର୍ଶନ କରି ଯୁଦ୍ଧ ଯାତ୍ରା କରୁଥିଲେ । କେବେ ଶ୍ରୀମନ୍ଦିର ପରିଦର୍ଶନ ବେଳେ ଓଡ଼ିଆ ଜାତିର ଏହି ବିରଳ ଉପାସନା ଦର୍ଶନ କରି ନିଜକୁ କୃତାର୍ଥ କରିପାରନ୍ତି।

ଦେବୀ ଉପାସନାର ୨ଟି ସମୟ ନିର୍ଦ୍ଧାରିତ ହୋଇଛି। ଗୋଟିଏ ବସନ୍ତ ଋତୁ ଓ ଅନ୍ୟଟି ଶରତ ଋତୁ। ବସନ୍ତରେ ବାସନ୍ତୀକ ଦୁର୍ଗାପୂଜା ଓ ଶରତ ଋତୁରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୁଏ। ଦେବୀ ଉପାସନାର ବାସ୍ତବ ସମୟଟି ବସନ୍ତ ଋତୁ । ମାତ୍ର ଶାରଦୀୟ ଦୁର୍ଗୋତ୍ସବ ଅସମୟ ପୂଜା ହୋଇଥିଲେ ମଧ୍ୟ ଏହା ବେଶ୍ ଲୋକପ୍ରିୟ ହୋଇଛି। ଆପଣଙ୍କ ମନରେ ସ୍ୱତଃ ପ୍ରଶ୍ନ ଆସୁଥିବ ଯେ, କ’ଣ ପାଇଁ ଏହାକୁ ଅସମୟ ଉପାସନା କୁହାଯାଏ। ହିନ୍ଦୁ ପରମ୍ପରାରେ ଚତୁଃମାସ୍ୟ ଉପାସନା ବିଧିରେ ବିଷ୍ଣୁ, ଶିବ ଓ ଦେବୀଙ୍କ ଶୟନୋତ୍ସବ ପାଳିତ ହୁଏ। ଆଷାଢ଼ ମାସରୁ ଆରମ୍ଭ ହେଉଥିବା ଚତୁଃମାସ୍ୟ କାର୍ତ୍ତିକରେ ସରିବା କଥା। ମାତ୍ର ସନ୍ଧିକ୍ଷଣରେ ପାର୍ବଣ ଆସେ ଓ ଶରତ ଋତୁରେ ମାତୃଶକ୍ତିଙ୍କ ଆବାହନ ହୁଏ। ଉପାସିତ ହୁଅନ୍ତି ଜଗତଜନନୀ । ଏଣୁ ଏହାକୁ ଅସମୟ ଉପାସନା ବା ରକ୍ତମୁଖା ସମୟ ଭାବେ ଶାକ୍ତ ଶାସ୍ତ୍ରମାନେ ବର୍ଣ୍ଣନା କରିଛନ୍ତି।

ଭଗବାନ ରାମ ହେଉଛନ୍ତି ଶାରଦୀୟ ଦୁଗୋତ୍ସବର ଆରମ୍ଭକର୍ତ୍ତା। ରାବଣ ବଧ ପାଇଁ ଦେବୀଙ୍କୁ ଭଗବାନ ରାମଚନ୍ଦ୍ର ଏହି ଦେବୀ ଶୟନାବଧିରେ ଉପାସନା କରିଥିଲେ ଓ ମା’ଙ୍କ ଆଶିଷରୁ ରାବଣର ବଧ ସମ୍ଭବ ହୋଇଥିଲା। ଏଣୁ ଏହି ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ ରାବଣପୋଡି ଉତ୍ସବ ପାଳିତ ହୋଇଥାଏ।