
୦୭/୧୦/୨୧ (ଜିଲ୍ଲା ଖବର) : ଆମ ରାଜ୍ୟରେ ବିଜେଡି ପାଇଁ ଗୋଟେ ନିୟମ ଆଉ ଲୋକଙ୍କ ପାଇଁ ଗୋଟିଏ। ବିଜେଡି ଷ୍ଟାମ୍ପ ବାଜିଥିବା ବ୍ୟକ୍ତି ଇନ୍ଦ୍ରଚନ୍ଦ୍ର ମାନେବେନି। ଆଉ ସାଧାରଣ ଲୋକଟେ ଭୁଲ୍ କରିଦେଲେ ବେଦ ଅଶୁଦ୍ଧ ହୋଇପଡିବ। ଏ ମାନସିକତା ଏବେ ସତ ପ୍ରମାଣିତ ହୋଇଛି।
ଶେଷରେ କାଳିଆ ଦୁଆରେ ବି ଭକ୍ତଙ୍କୁ ଦି’ ଭାଗ କରି ଦିଆଯାଉଛି। ସିଂହଦୁଆରକୁ ୪ ଚକିଆ ଗାଡି ମନା ଥିବା ବେଳେ ବିଧାୟକଙ୍କ ଗାଡି ପାର୍କିଂ ହେଉଛି।
କିଛିଦିନ ତଳେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ନିର୍ମାଣ ପାଇଁ ଶ୍ରୀନହରଠାରୁ ବଳରାମ ଲଜ୍ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ନୋ ପାର୍କିଂ ଓ ନୋ ଭେଣ୍ଡିଂ ଜୋନ ଘୋଷଣା କରାଯାଇଥିଲା ।ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଥିଲା ପୁରୀ ପୌର ସଂସ୍ଥା ।
ଏମିତିକି ମରଚିକୋଟ୍ ଛକରୁ ଶ୍ରୀମନ୍ଦିର ଆଡକୁ ଭିଆଇପିଙ୍କ ଗାଡି ପ୍ରବେଶ ଉପରେ ଲାଗିଥିଲା କଟକଣା । ହେଲେ ଗତ ୨୭ ତାରିଖରେ ଦଶପଲ୍ଲା ବିଧାୟକଙ୍କ ଗାଡି ଅଟକାଇ ବାହାବା ନେଇଥିଲେ ଜଣେ ଲେଡି ଟ୍ରାଫିକ ପୁଲିସ । ହେଲେ ଗତକାଲି ବାହୁବଳୀ ବିଧାୟକ ବ୍ୟାମୋକେଶ ରାୟ ନିଶିଦ୍ଧାଞ୍ଚଳରେ ଗାଡି ପାର୍କିଂ କରି ଦେଉଳକୁ ଯାଇଥିବା ଭିଡିଓ ଭାଇରାଲ ହେଲା ପରେ ପୁଲିସ ନିଦର ଉଠିଛି।
ଦୀର୍ଘ ୬ ଘଣ୍ଟା ପରେ ଫାଇନ୍ ନେବାକୁ ପୁଲିସ ପ୍ରସ୍ତୁତ ହେଉଛି। ବିଧାୟକଙ୍କୁ ଫାଇନ୍ ହୋଇଛି ୨ ହଜାର ଟଙ୍କା। ସାଧାରଣ ଲୋକ ହୋଇଥିଲେ କାଳ ବିଳମ୍ବ ନ କରି ପୁଲିସ୍ ଫାଇନ୍ ଆଦାୟ କରିଥାନ୍ତା। କିନ୍ତୁ ଏଠି ଦେଖନ୍ତୁ, ଜଣେ ବିଧାୟକ ଗାଡି ପାର୍କିଂ କଲେ, ହେଲେ ଫାଇନ ହେଲା ଭାବିଚିନ୍ତି ୬ ଘଣ୍ଟା ପରେ। ଏଇଟା ସାଧାରଣ ଲୋକଙ୍କୁ ତାଚ୍ଛଲ୍ୟ ନୁହେଁ ତ ଆଉ କ’ଣ। ୨ ହଜାର ଟଙ୍କା ବିଧାୟକଙ୍କ ପାଇଁ ବଡ ନୁହେଁ। କିନ୍ତୁ ଭିଆଇପି ବୋଲି ତାଙ୍କ ପାଇଁ ୬ ଘଣ୍ଟା କୋହଳ ହେଇଗଲା ନିୟମ ଏଇଟା ନିଶ୍ଚୟ ବଡ଼କଥା।
ସୂଚନାଯୋଗ୍ୟ, ଗତକାଲି ତାଙ୍କ ଗାଡି (ନମ୍ବର OD 22N 0001) ସିଧାସଳଖ ଶ୍ରୀମନ୍ଦିର ସମ୍ମୁଖକୁ ଚାଲିଯାଇଥିଲା । ତେବେ ଏହି ଅଞ୍ଚଳକୁ ଗାଡି ପୂରାଇଲେ ପୁରୀବାସୀଙ୍କଠାରୁ ଫାଇନ ଆଦାୟ କରାଯାଉଥିଲେ ମଧ୍ୟ ବିଧାୟକଙ୍କଠାରୁ କାହିଁକି ଫାଇନ ଆଦାୟ ନ ହେବ ଏନେଇ ଦାବି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ଯୁବ କଂଗ୍ରେସ ସଦସ୍ୟ ସ୍ୱାଧିନ ପଣ୍ଡା । ତେବେ ବିରୋଧ ପରେ ବିଜେଡି ବିଧାୟକ ତଥା ହେବିଓ୍ବେଟ ନେତା ବ୍ୟୋମକେଶ ରାୟଙ୍କ ଉପରେ ଇ-ଚାଲାଣ କାଟିବାକୁ ବାଧ୍ୟ ହୋଇଛି ପୁରୀ ପୁଲିସ ।


