
୦୭/୧୦/୨୧ (ଜିଲ୍ଲା ଖବର) : 35ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରାଖଣ୍ଡର ଋଷିକେଶ ସ୍ଥିତ ଏମ୍ସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୋଦି ଏହି ଅକ୍ସିଜେନ ପ୍ଲାଣ୍ଟ ଗୁଡିକୁ ଲୋକାର୍ପଣ କରିଛନ୍ତି ।
ଏହାସହ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏତେ କମ୍ ସମୟ ମଧ୍ୟରେ ଭାରତ ଦ୍ୱାରା ଉପଲବ୍ଧ ସୁବିଧା ଦେଶର ସାମର୍ଥ୍ୟକୁ ଦର୍ଶାଉଛି । ଗୋଟିଏ ଟେଷ୍ଟିଂ ଲ୍ୟାବରୁ 3000 ଟେଷ୍ଟିଂ ଲ୍ୟାବର ନେଟୱାର୍କ ପ୍ରତିଷ୍ଠା, ମାସ୍କ ଏବଂ କିଟ୍ ଆମଦାନୀ ଠାରୁ ଆରମ୍ଭ କରି ଏହାର ଉତ୍ପାଦନ ପର୍ଯ୍ୟନ୍ତ ଭାରତ ରପ୍ତାନିକାରୀ ଭାବରେ ଆଗକୁ ବଢୁଛି ।
ଏହାସହ ମୋଦି ଆହୁରି ମଧ୍ୟ କହିଛନ୍ତି, କୋୱିନ୍ ପ୍ଲାଟଫର୍ମ ନିର୍ମାଣ କରି ଭାରତ ସମଗ୍ର ବିଶ୍ୱକୁ ରାସ୍ତା ଦେଖାଇଛି ଯେ ଏତେ ପରିମାଣରେ ଟୀକାକରଣ କିପରି କରାଯାଏ ।
ଅନ୍ୟପଟେ ପିଏମ୍ କେୟାର୍ସ ଅଧିନରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାପନ ହୋଇଥିବା ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ ଗୁଡିକ ଆଜିଠାରୁ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ, ସାରା ଦେଶରେ ପିଏମ କେୟାର୍ସ ଅଧୀନରେ ମୋଟ୍ ୧୨୨୪ ପିଏସଏ ଅକ୍ସିଜେନ ପ୍ଲାଣ୍ଟକୁ ନିର୍ମାଣ କରାଯାଇଥିବା ବେଳେ , ସେଥିମଧ୍ୟରୁ ୧୧୦୦ ରୁ ଅଧିକ ପ୍ଲାଣ୍ଟ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି ।
ଯେଉଁଥିରୁ ପ୍ରତିଦିନ ୧୭୫୦ ମେଟ୍ରିକ ଟନ୍ ଅକ୍ସିଜେନ ଉତ୍ପାଦନ ହେଉଛି । କୋଭିଡ -୧୯ ଆସିବା ପରଠାରୁ ଭାରତର ମେଡିକାଲ ଅକ୍ସିଜେନ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଭାରତ ସରକାର ନେଇଥିବା ସକ୍ରିୟ ପଦକ୍ଷେପଗୁଡ଼ିକର ଏହା ଏକ ଉଦାହରଣ ପାଲଟିଛି ।


