
୦୭/୧୦/୨୧ (ଜିଲ୍ଲା ଖବର) : ଆଜି 35ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ଉତ୍ତରାଖଣ୍ଡର ଋଷିକେଶ ସ୍ଥିତ ଏମ୍ସରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୋଦି ଏହି ଅକ୍ସିଜେନ ପ୍ଲାଣ୍ଟ ଗୁଡିକୁ ଲୋକାର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ପିଏମ୍ କେୟାର୍ସ ଅଧିନରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାପନ ହୋଇଥିବା ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ ଗୁଡିକ ଆଜିଠାରୁ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ, ସାରା ଦେଶରେ ପିଏମ କେୟାର୍ସ ଅଧୀନରେ ମୋଟ୍ ୧୨୨୪ ପିଏସଏ ଅକ୍ସିଜେନ ପ୍ଲାଣ୍ଟକୁ ନିର୍ମାଣ କରାଯାଇଥିବା ବେଳେ, ସେଥିମଧ୍ୟରୁ ୧୧୦୦ ରୁ ଅଧିକ ପ୍ଲାଣ୍ଟ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି ।
ଯେଉଁଥିରୁ ପ୍ରତିଦିନ ୧୭୫୦ ମେଟ୍ରିକ ଟନ୍ ଅକ୍ସିଜେନ ଉତ୍ପାଦନ ହେଉଛି । କୋଭିଡ -୧୯ ଆସିବା ପରଠାରୁ ଭାରତର ମେଡିକାଲ ଅକ୍ସିଜେନ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଭାରତ ସରକାର ନେଇଥିବା ସକ୍ରିୟ ପଦକ୍ଷେପଗୁଡ଼ିକର ଏହା ଏକ ଉଦାହରଣ ପାଲଟିଛି ।



