
ବଲାଙ୍ଗୀର, ୦୭/୧୦/୨୧ (ଜିଲ୍ଲା ଖବର) : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଘଟଣ । କଲେଜରେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ସନ୍ଦେହଜନକ ଅବସ୍ଥାରେ ତୃତୀୟବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତଦେହ ମିଳିଛି । ସେପଟେ ପରିବାର ଆଣିଲା ସଙ୍ଗୀନ ଅଭିଯୋଗ । ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ କୁହାଯାଉଛି ।
ଝରକାରେ ଝୁଲି କେମିତି ଆତ୍ମହତ୍ୟା ସମ୍ବବ ବୋଲି ପରିବାର ପ୍ରଶ୍ନ କରିଛି । ବୁଧବାର ରାତିରେ ଫୋନ ଓ ଭିଡିଓକଲ ମାଧ୍ୟମରେ ନିରୁପମା ପରିବାରର ବାପା, ମାଆ, ଭାଇ ଓ ଭଉଣୀଙ୍କ ସହ କଥା ହୋଇଥିଲେ । କିନ୍ତୁ ରାତି ୧୨ଟା ପରେ ମେଡିକାଲରୁ ଫୋନକରି ଝିଅ ଆତ୍ମହତ୍ୟା କରିଥିବା କହିଥିଲେ।
ସେପଟେ ଝିଅକୁ ତାଙ୍କ ସହପାଠୀ ଅନ୍ତରାମ ମିଶ୍ର ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ବାପା ଅଭିଯୋଗ ଆଣିଛନ୍ତି । ଏପରିକି ଅନ୍ତରାମ ମିଶ୍ର ରାତି ୧୨ଟାରେ ମଧ୍ୟ ନିରୁପମା ନନ୍ଦକୁ କଲ କରୁଥିବା ସେ କହିଛନ୍ତି । ଅନ୍ତରାମ ମିଶ୍ରର କଲ ରେକର୍ଡ ଯାଞ୍ଚକଲେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ମୃତ ଛାତ୍ରୀଙ୍କ ବାପା କହିଛନ୍ତି । ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଡାକ୍ତରୀ ଛାତ୍ରୀଙ୍କ ବାପା ସମାରୁ ନନ୍ଦ ।



