Sunday, November 15, 2026
Home ଆଞ୍ଚଳିକ ଫୁଲୁରି ଉପାଖ୍ୟାନ

ଫୁଲୁରି ଉପାଖ୍ୟାନ

41

ଭେକ ଥିଲେ ମିଳେ ଭିକ
ଭିକ ମାଗି ଆଣେ ଧନୀଠୁ ଗରିବ
ଓଡ଼ିଆ ସଂସ୍କୃତି ଦେଖ ।

ସାତ ଘର ବୁଲିଯାଇ
ମାଗିକି ଆଣିଲେ ପୂଜାକୁ ପାଳିବ
ପଠାଏ ମାଆ ବତାଇ ।

ସୁନ୍ଦର ସୁନ୍ଦର ଗୀତେ
କାହାଘରେ କ’ଣ ଶାଗ ଫଳ ଅଛି
ମୁଣିଟି ଭରେ ହରସେ ।

ବରଷା ଯାଇଛି ଛାଡି
ବାରି ଉଦ୍ୟାନରେ ଫୁଲ ଫଳ ରଖି
ମାଙ୍କଡ଼ ଜଗିଛି ବୁଢ଼ୀ ।

ମକା ଭେଣ୍ଡି ଜହ୍ନି ସାରୁ
କଖାରୁ କାକୁଡି ତୋରଡ଼ା କାଙ୍କଡ଼
ଦିନ ଯାଏ ତୋଳୁ ତୋଳୁ ।

ଶାଗର ପସରା ମେଲି
ସଜନା ଗଛଟି ସରାଗେ ରଖିଛି
ମାଗିଲେ ବାଣ୍ଟିବ ବୋଲି ।

ନିଜ ବାରି ବଗିଚାରେ
ପନିପରିବାର ଖନ୍ଦକୁ ଲଗାଇ
ଓଡ଼ିଆଣି ଢେଗ ମାରେ ।

କିଏରେ ମୋ’ର ବାରିରେ
ମୁହଁ କଳା ହେଉ ଚୋରାଇ ନେଉଛି
ଏଇ ଘନ ରାତିଟାରେ ।

ସବୁଜ ଋତୁଟି ଏହି
ଶ୍ରୀଗଣେଶ ଏଠି ଆସିବା ଦିନୁ
ହସ ଖୁସି ନାଚେ ମହୀ ।

ହସେ ଧରା ଉପବନ
ଡାଳ ଫୁଲ ଫଳ ମୂଳ ପତରରେ
ପୂଜିବା ଦେଇ ଚନ୍ଦନ ।

ସେ ଆମ ଖୁସି ପ୍ରଗତି
ବଜ୍ରମହାକାଳୀ ବୁଝାଇ କୁହନ୍ତି
ରଖ ମାଟି ବୃକ୍ଷ ଜାତି ।

ହାତର ଭୂଷଣ ଦାନ
ଅଭାବ କଷଣ ସଠିକ ପରଖି
ଦିଅ ଆସେ ଯେଉଁ ଜନ ।

ପୋଷଣ ସମୟ ଏହି
ଖାଦ୍ୟର ସମ୍ଭାରେ ଫୁଲୁରି ଧରଣୀ
ଉପାଖ୍ୟାନେ କହିଦେଇ ।।

ବୁଝିଲା ମାଗିବା ଲୋକ
ଭଲ ଶିକ୍ଷାଟିଏ ବତାଇ ଚାଲିଛି
ଆମ ଓଷା ବାର ବ୍ରତ ।

ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ -8249486455