
ନୂଆଦିଲ୍ଲୀ,୦୬/୧୦/୨୧ (ଜିଲ୍ଲା ଖବର) : କୋଭିଡ ଟିକା କୋଭାକ୍ସିନକୁ ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି।ଭାରତ ବାୟୋଟେକର କୋଭାକ୍ସିନକୁ ଯଦି ଅନୁମତି ମିଳେ ତେବେ ଏହାର ରପ୍ତାନୀ ଓ ଭାରତୀୟଙ୍କ ବିଦେଶ ଯାତ୍ରା ଲାଗି ବାଟ ଫିଟି ଯିବ। ଏଥିସହିତ ଭାରତୀୟ ଯାତ୍ରୀଙ୍କୁ ବିଦେଶରେ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ନିୟମ ଲାଗୁ ହେବ ନାହିଁ ।
ଭାରତ ବାୟୋଟେକର କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଏବେ ଭାରତରେ କୋଭିଡ ପ୍ରତିରୋଧରେ ବ୍ୟବହୃତ ହେଉଛି । ତେବେ ରପ୍ତାନୀ ଓ ବିଦେଶ ଯାଉଥିବା ଲୋକଙ୍କ କ୍ଷେତ୍ରରେ କୋଭିସିଲ୍ଡକୁ ଅନୁମତି ମିଳୁଥିବା ବେଳେ କୋଭାକ୍ସିନକୁ ଅନୁମତି ମିଳିନାହିଁ ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଓ ଆଇସିଏମଆରର ସହଭାଗିତାରେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ । କ୍ଲିନିକାଲ ଟ୍ରାଏଲରେ ଏହା ୭୮ ପ୍ରତିଶତ ସଫଳ ହୋଇଥିବା ମଧ୍ୟ ପ୍ରମାଣିତ ହୋଇଛି ।


