
ଗଜପତି,୦୪/୧୦/୨୧ (ଜିଲ୍ଲା ଖବର) : ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ପାଇଁ ଆଜି ଗଜପତି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡିରେ ପହଞ୍ଚିବେ । ଏହାପରେ ୧୧ଟା ୪୫ ମିନିଟରେ ପାରଳାଖେମୁଣ୍ଡି ଛାଡିବେ । ଆଜି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଆଉ କିଛି ପ୍ରକଳ୍ପ ପାଇଁ ଶୁଭ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଏନେଇ ପ୍ରଶାସନ ଓ ଦଳୀୟ ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ, ବାଣ୍ଟିବେ ସ୍ୱାସ୍ଥ୍ୟ କାର୍ଡବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ସଭାସ୍ଥଳକୁ ସାଧାରଣ ଲୋକଙ୍କୁ ମନା ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ସମସ୍ତ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ସହ ସାମ୍ବାଦିକଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବେ ।
ଏହାପରେ କିଛି ପ୍ରକଳ୍ପର ଉଦଘାଟନ ଏବଂ ଅନେକ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ । ଗଜପତିରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ୯୬ ହଜାର ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ । ୫ଦିନରେ ପର୍ଯ୍ୟାୟ କ୍ରମେ ଏହି କାର୍ଡ ବଣ୍ଟନ କରାଯିବ । ଏଥିପାଇଁ ଜିଲ୍ଲାର ୧୬୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୭୯୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ ଶୁଭ ମଧ୍ୟ ପ୍ରଦାନ କରିବେ ବୋଲି ଗଜପତି ଜିଲ୍ଲାପାଳ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଜିଲ୍ଲାର ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ।



