
ବ୍ରହ୍ମପୁର,୧୪/୧୧ (ଜିଲ୍ଲା ଖବର) : ରେଡ଼ିଓ ଷ୍ଟେସନ ବ୍ୟାଙ୍କ କଲୋନୀ ତୃତୀୟ ଗଳିରେ ଥିବା ପ୍ରତିଷ୍ଠିତ ଜାଗୃତି ଡ଼୍ୟାନସ ଏକାଡ଼େମୀରେ ଆଜି ଶିଶୁଦିବସ ପାଳିତ ହୋଇଯାଇଛି । ନିର୍ଦ୍ଦେଶିକା ରଶ୍ମିତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଡ଼୍ୟାନସ ଏକାଡ଼େମୀ ଛାତ୍ରଛାତ୍ରୀ ତଥା ଅଂଚଳର ବହୁ ଛାତ୍ରଛାତ୍ରୀ ଏବଂ ଛୋଟ ଛୁଆମାନେ ଯୋଗ ଦେଇଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଜନ୍ମଦିବସକୁ ଶିଶୁଦିବସ ରୂପେ ପାଳନ କରାଯାଉଥିବାରୁ ଅନୁଷ୍ଠାନର କର୍ମଚାରୀମାନେ ପ୍ରଥମେ ଚାଚା ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡା ଚାଚା ନେହେରୁଙ୍କ ଆଦର୍ଶ ତଥା ଦେଶପ୍ରେମ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ଭବିଷ୍ୟତରେ ଚାଚା ନେହେରୁଙ୍କ ଭଳି ଜଣେ ଜଣେ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା, ଡ଼୍ୟାନସ, ଖେଳକୁଦ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଦସ୍ୟମାନେ ପିଲାମାନଙ୍କୁ ଚକଲେଟ୍ ପ୍ରଦାନ କରିବା ସହ ସେମାନଙ୍କ ସହ ହସଖୁସିରେ ସମୟ କଟାଇଥିଲେ । ଏହି ଅବସରରେ ପିଲାମାନଙ୍କ ଅଭିଭାବକମାନେ ଉପସ୍ଥିତ ରହି ଜାଗୃତ ଡ଼୍ୟାନସ ଏକାଡ଼େମୀର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।



