ଚାକିରୀ ନାଁରେ ଠକେଇ ଅଭିଯୋଗ, ଫସିଛନ୍ତି ୫୦ରୁ ଅଧିକ ଯୁବକ

3

କଳାହାଣ୍ଡି,୦୪/୧୦/୨୧ (ଜିଲ୍ଲା ଖବର) : ଚାକିରୀ ନାଁରେ ଠକେଇ ଅଭିଯୋଗ । ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରୁ ଆସିଛି ଏପରି ଅଭିଯୋଗ । କଳାହାଣ୍ଡି ଚୁଡ଼ିହାରି ପଡ଼ାରେ ଏକ ଭଡ଼ା ଘରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ୫୦ରୁ ଅଧିକ ବେକାରୀ ଯୁବକମାନଙ୍କୁ ରଖି ତାଲିମ ଦିଆଯାଉଛି । ଚାକିରି ଆଳ ଦେଖାଇ ସେମାନଙ୍କୁ ଏଠାକୁ ଆଣି ଅନ୍ୟାନ୍ୟ କାମର ତାଲିମ ଦିଆଯାଉଥିବା ଅଭିଯୋଗ ହୋଇଛି ।

ଚାକିରି ଦେବା ନାଁରେ ପ୍ରଥମେ ୨୨ ହଜାର ଟଙ୍କା ଜମା କରିବାକୁ କୁହାଯାଉଛି । ତେବେ ତାଲିମ ସମୟରେ ସେମାନଙ୍କୁ ତୀକ୍ଷଣ ନଜରରେ ରଖାଯାଉଛି । ବାହାରକୁ ଛଡ଼ାଯାଉନାହିଁ । ଚାକିରି ଆଶାୟୀ ଯୁବକମାନେ ଏକପ୍ରକାର ଗୃହ ବନ୍ଦୀ ଭାବେ ରହୁଥିବା କହିଛନ୍ତି । ଚାକିରି ଆଶାରେ ଥିବା ଯୁବକମାନଙ୍କ ମଧ୍ୟରୁ ୨ ଜଣ ସେଠାରୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ପରେ ପୋଲିସ ଖବର ପାଇଁ ସେହି ସ୍ଥାନରେ ଚଢାଉ କରି ବିଭିନ୍ନ କାଗଜପତ୍ର ଜବତ କରିଛି । ଏଥିସହ ସଂସ୍ଥାର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଟାଉନ ଥାନାକୁ ଆଣି ପଚରା ଉଚରା କରାଯାଉଛି ।