Tuesday, November 17, 2026
Home ଆଞ୍ଚଳିକ ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଦାବି

ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଦାବି

98

୦୩/୧୦(ଜିଲ୍ଲା ଖବର): ଆଜି ସ୍ଥାନୀୟ ଏନଜିଓ ହଲ୍ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଗଠନ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ସଂଘର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପରିଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ୨୨ଟି ବ୍ଳକରେ ଥିବା ଆଦର୍ଶ ବିଦ୍ୟାଳୟର କର୍ମଚାରୀ ଯୋଗ ଦେଇଥିଲେ । ଆଉଟସୋରସିଂ ବ୍ୟବସ୍ଥାରେ କାର୍ଯ୍ୟରତ ଏହି କର୍ମଚାରୀମାନେ ଅତ୍ୟନ୍ତ ଦୟନୀୟ ଓ ଅପମାନଜନକ ସ୍ଥିତିରେ କାମ କରୁଛନ୍ତି । ବଜାର ଦର ଅନୁଯାୟୀ ଅଥବା ସର୍ବନିମ୍ନ ମଜୁରୀ ହିସାବରେ ଦରମା ବଢାଯାଉନି । ନିଯୁକ୍ତିଦାତା ଏଜେନ୍ସୀ ମାନେ ନିୟମିତ ଭାବେ ଇପିଏଫ୍ ଏବଂ ଇଏସଆଇ ଦେୟ ଦାଖଲ କରାଯାଉନାହିଁ । ଦରମାର ୧୮% ଜିଏସଟି ବାବଦରେ ସରକାର କାଟି ନେଉଛନ୍ତି । ଏଜେନ୍ସି ବଦଳିଗଲେ ପୁରୁଣା କର୍ମଚାରୀଙ୍କୁ ନୂଆ ଏଜେନ୍ସି ନେବାର କୌଣସି ଗ୍ୟାରେଣ୍ଟି ରହୁନାହିଁ । ଯେଉଁ ମହିଳା କର୍ମଚାରୀମାନେ ମାତୃତ୍ଵ ଛୁଟିରେ ଯାଉଛନ୍ତି, ସେମାନଙ୍କ ଚାକିରି ଚାଲିଯାଉଛି । ସରକାରୀ ଅର୍ଥରେ ଓ ସରକାରଙ୍କ ଅଧିନରେ କାମ କରୁଥିଲେ ମଧ୍ୟ ସରକାରୀ କର୍ମଚାରୀଙ୍କ ପରି ସୁବିଧା ସୁଯୋଗ ମିଳୁନାହିଁ । ବିଦ୍ୟାଳୟର ସଫାସୁତୁରା ପାଇଁ ସ୍ଵତନ୍ତ୍ର ସଫେଇ କର୍ମଚାରୀ ନିଯୁକ୍ତ ନଥିବାରୁ ବର୍ତ୍ତମାନ ଥିବା କର୍ମଚାରୀଙ୍କୁ କାମର ବୋଝ ଲଦାଯାଉଛି ।
ଆଜିର ସମାବେଶରେ ରାଜ୍ୟ ଆଉଟସୋରସିଂ କର୍ମଚାରୀ ମହାସଂଘର ଉପଦେଷ୍ଟା ତଥା ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ନିଜର ଅଧିକାର ପାଇଁ ତଥା ଚାକିରୀର ସ୍ଥାୟୀତ୍ଵ ଏବଂ ଆତ୍ମସମ୍ମାନ ପାଇଁ ଏକତାବଦ୍ଧ ସଂଗ୍ରାମ କରିବାକୁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସାଇଶ୍ଵରୀ ବେହେରା, ଜିତେନ୍ଦ୍ର କୁମାର ସ୍ଵାଇଁ, ପ୍ରଭାତୀ ପାତ୍ର, ଗଣେଶ ସାହୁ, କୃଷ୍ଣ ମଲ୍ଲିକ, ସୁଦେଷ୍ଣା ବେହେରା, ନାରାୟଣ ବିଷୋୟୀ, ପବିତ୍ର ପରିଡା, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ କର୍ମଚାରୀ ଯୋଗ ଦେଇ ନିଜ ନିଜର ମତପ୍ରକାଶ କରିଥିଲେ । ରାଜ୍ୟରେ ଅତ୍ୟନ୍ତ ଦୟନୀୟ ଓ ଅପମାନଜନକ ସ୍ଥିତିରେ କାର୍ଯ୍ୟରତ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଆଉଟସୋରସିଂ କର୍ମଚାରୀଙ୍କ ଦାବି ନେଇ ଆଗାମୀ ଦିନରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ କରିବାକୁ ସ୍ଥିର ହୋଇଥିଲା ।
ଶେଷରେ ସାଇଶ୍ଵରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଦାବୀ ସମୂହ
1.ସର୍ବନିମ୍ନ ମଜୁରୀ ଆଧାର ରେ ଦରମା ପାଇଁ ନିର୍ଦ୍ଦେଶନାମା ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦରମା ବୃଦ୍ଧି କରାଯାଇନାହିଁ, ତେଣୁ ବର୍ଦ୍ଧିତ ହାରରେ ଦରମା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉ I
2.ସମାନ କାମ କୁ ସମାନ ଦରମା ନିୟମ କୁ ତୁରନ୍ତ ଲାଗୁ କରାଯାଉ I
3.ରାଜ୍ୟ ର ଆଦର୍ଶ ବିଦ୍ୟାଳୟ ମାନଙ୍କ ରେ ଗୋଟିଏ  ପଦବୀ ରେ ରାତ୍ର ଜଗୁଆଳି ଓ ଝାଡୁଦାର ଭଳି ଦୁଇ ଦୁଇଟି କାର୍ଯ୍ୟ କରାଯାଉଛି, ତେଣୁ  ନୂତନ ପଦବୀ ସୃଷ୍ଟି କରି ଏହାର ସମାଧାନ କରାଯାଉ I
4.ବିଦ୍ୟାଳୟ ପରିସରରେ  ରାତ୍ର ଜଗୁଆଳି ଙ୍କୁ ସୁରକ୍ଷିତ ଭାବେ ରହିବାର ବ୍ୟବସ୍ଥା କରାଯାଉ I
5.ସର୍ଭିସ ପ୍ରୋଭାଇଡର ଦ୍ୱାରା epf /esi ର ସଠିକ ପରିମାଣ ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଉ I
6.ମହିଳା କର୍ମଚାରୀ ମାନଙ୍କୁ ସବୈତନିକ ମାତୃତ୍ୱ କାଳୀନ ଛୁଟି ପ୍ରଦାନ କରାଯାଉ I
7.ପ୍ରତ୍ୟେକ ମାସରେ ସବୈତନିକ ସୁନିଶ୍ଚିତ 4 ଟି ଛୁଟି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉ I
8.ସାଇନ୍ସ ଆଟେଣ୍ଡଣ୍ଟ ମାନଙ୍କୁ ଉଚ୍ଚ କୁଶଳୀ ହାର ରେ ଦରମା ପ୍ରଦାନ କରାଯାଉ I
9.ବଗିଚା କାମ ଓ ସଫେଇ କାମ ପାଇଁ ନୂତନ ପଦବୀ ସୃଷ୍ଟି କରାଯାଉ

ଓଡିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ*
    *ଗଞ୍ଜାମ ଜିଲ୍ଳା ଶାଖା