
୦୨/୧୦/୨୧ (ଜିଲ୍ଲା ଖବର) : ଆଜି ପାର୍ଲିଆମେଣ୍ଟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ରାଜଘାଟ ଓ ବିଜୟ ଘାଟରେ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସାରିବା ପରେ ପାର୍ଲିଆମେଣ୍ଟ ଦୁଇ ରାଷ୍ଟ୍ରନାୟକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଆଜି ଗାନ୍ଧୀ ଜୟନ୍ତୀ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ ପାଳୁଛି ସାରା ଦେଶ। ଭାରତୀୟ ରାଜନୀତିରେ ଗାନ୍ଧିଜୀଙ୍କ ପ୍ରବେଶ ଭାରତ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ଏହି ସଂଗ୍ରାମରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ । ନୋବେଲ ଶାନ୍ତି ପୁରସ୍କାର ପାଇଁ ଗାନ୍ଧୀଙ୍କୁ ୫ ଥର ଚୟନ କରାଯାଇଥିଲା । ୪ ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ । ସହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଜୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା ।



