
୦୨/୧୦/୨୧ (ଜିଲ୍ଲା ଖବର) : ଦାମ୍ପତ୍ୟ କଳହ । ପ୍ରାୟ ସମସ୍ତଙ୍କ ଘରେ ଥାଏ । ସ୍ବାମୀ-ସ୍ତ୍ରୀ ଏମିତି ଖିଟିରି ପିଟିରି ଲାଗିବା ସାଧାରଣ କଥା। କିନ୍ତୁ ଆମେ ଆପଣଙ୍କୁ ଯେଉଁ ଘଟଣା କଥା କହୁଛୁ, ତାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ମହିଳା ନିର୍ଯାତନା କଥା ଖବର କାଗଜରେ ନିୟମିତ ପଢୁଥିବା ଲୋକଙ୍କ ହୋସ୍ ଊଡାଇଦେବ ଏହି ପୁରୁଷ ନିର୍ଯାତନା ଘଟଣା।
ଘଟଣା ହେଉଛି ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳର । ଏଇଠି ଘର ଖଣ୍ଡିଏ କରି ରହୁଛନ୍ତି ପ୍ରଦୀପ୍ତ ସାହୁ । ଏହି ଲକ୍ଷ୍ମୀସାଗର ଅଞ୍ଚଳର ସୁଲୋଚନା ସାହୁଙ୍କୁ ପ୍ରେମ ବିବାହ କରିଥିଲେ ପ୍ରଦୀପ୍ତ । ଶ୍ୱଶୁର ଘର ଜମି ଖଣ୍ଡିଏ ପ୍ରଦିପ୍ତଙ୍କୁ ଦେଇଥିଲେ, ଯେଉଁଠି ଘର କରି ଉଭୟ ଦମ୍ପତି ରହୁଥିଲେ । ହେଲେ ଏଇ କାରଣରୁ ପ୍ରଦୀପ୍ତଙ୍କର ନିଜ ଘରେ କିଛି ଦବଦବା ନ ଥିଲା ।
ପତ୍ନୀ ସୁଲୋଚନା କଥା କଥାରେ ତାଙ୍କୁ ମାରଧର କରୁଥିଲେ । ବାପଘର ଲୋକଙ୍କୁ ଲଗାଇ ମାରଧର କରୁଥିଲେ । ହେଲେ ଗଲା କିଛି ଦିନ ତଳେ ହୋଇଥିବା ମାରପିଟ୍ ସବୁ ସୀମା ଟପିଗଲା । ସ୍ୱାମୀଙ୍କୁ ଚାପୁଡା ଗୋଇଠା ମାରିବା ସହିତ ତାଙ୍କ ସାର୍ଟରେ ନିଆଁ ଲଗାଇ ଦେଇଥିଲେ ପତ୍ନୀ ।
ପାଖରେ ଛିଡା ହୋଇଥିବା ପୁଅ ଏ ସବୁ ଦୃଶ୍ୟକୁ ମୋବାଇଲରେ କଏଦ କରିଥିଲା। ଯାହା ଭାଇରାଲ ହୋଇଗଲା। ଘଟଣା ସମ୍ପର୍କରେ ପ୍ରଦୀପ୍ତ ଶେଷରେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ଘଟଣାର ସତ୍ୟତା ଯାଞ୍ଚ କରୁଛି ପୁଲିସ୍।



