Home ଆଞ୍ଚଳିକ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ

ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ

9

 ୦୨/୧୦/୨୧ (ଜିଲ୍ଲା ଖବର) : ୨ ଅକ୍ଟୋବର, ୧୮୬୯, ଗୁଜୁରାଟର ପୋର ବନ୍ଦର ସହରରେ ଛୁଆଟିଏ ଜନ୍ମ ହେଲା । କରମଚାନ୍ଦ ଗାନ୍ଧୀ, ପୁତୁଲୀ ବାଇଙ୍କ କୋଳ ପୂରି ଉଠିଲା । ଘରେ ସେଦିନ ସମସ୍ତଙ୍କ ମୁହଁ ଉଜ୍ୱଳ ହସରେ ଭରିଯାଇଥାଏ ।

ଥେପଲା, ଢୋକଲା ଆଉ ଖାଣ୍ଡବିର ମହମହ ବାସ୍ନା ପୂରା ଘରକୁ ହସେଇ ଦେଉଥିଲା । ଏଗୁଡାକ ଗୁଜୁରାଟି ପାରମ୍ପରିକ ଖାଇବା । ହୁଏତ ଏମିତି ଖିଆପିଆରେ ପୂରା ଗାନ୍ଧୀ ପରିବାର ସେଦିନ ମସଗୁଲ୍ ଥିବ ।

ଆଉ ଆମ ସମସ୍ତଙ୍କ ଅଜାଣତରେ ଭାରତ ମା’ ବି ସେଦିନ ସେ କୁନି ପୁଅର ମଥା ଚୁମି ଦେଇଥିବ। କାରଣ ଏ ମାଟି ଜାଣି ସାରିଥିବ, ଏ ଜାତିକୁ ପରାଧିନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ମହାତ୍ମା ଆସିଗଲେ ବୋଲି ।

ଆଜି ଅକ୍ଟୋବର ୨ । ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମଦିନ । ସେଇ ଗୁଜୁରାଟି କୁନି ପୁଅର ଜନ୍ମଦିନ । ଯାହାଙ୍କୁ ଆମେ ବାପୁ କହୁ ମହାତ୍ମା ବୋଲି ମୁଣ୍ଡିଆ ମାରୁ ।

ଘଟଣାବହୂଳ ନିଜ ଜିବଦ୍ଦଶାରେ ସେ ଏ ଦେଶରୁ ଇଂରେଜ ଶାସନର ମୂଳୋତ୍ପାଟନ ପାଇଁ ସମସ୍ତ ପ୍ରୟାସ କଲେ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଅଳ୍ପ କିଛି ।

ଜନ୍ମ ତାଙ୍କର ପୋର ବନ୍ଦରରେ ହୋଇଥିଲା ସତ । ହେଲେ ପାଠ ପଢିଲେ ରାଜକୋଟରେ । ୯ ବର୍ଷ ବୟସରେ ସ୍କୁଲ ଗଲେ । ପିଲାବେଳେ ଭାରି ଲାଜକୁଳା ଥିଲେ ସିଏ । ବହି ସହ ତାଙ୍କ ବନ୍ଧୁତା ହେଲା । ଆଉ ୧୩ ବର୍ଷ ବୟସରେ ସଂସାର ବନ୍ଧନରେ ବାନ୍ଧି ହେଲେ ବାପୁ । କସ୍ତୁରବାଙ୍କ ହାତ ଧରି ସଂସାର କଲେ ।

ବାପୁଙ୍କ ସେତେବେଳେ ବୟସ ୧୫ ବର୍ଷ । ବାପା ହେବାର ସୌଭାଗ୍ୟ ଜୁଟିଲା । କସ୍ତୁରବାଙ୍କ ଗର୍ଭରୁ ଜନ୍ମ ହେଲା ପୁଅ । ହେଲେ ଦୁଭାଗ୍ୟକୁ ଦୁନିଆ ଦେଖିବା ଆଗରୁ ସେ ଆଖି ମୁଦିଲା । ବୋଝ ଉପରେ ନଳିତା ବିଡା ଭଳି ପିତା କରମଚାନ୍ଦ ମଧ୍ୟ ଆଖିବୁଜିଲେ ସେଇ ବର୍ଷ।

ଅହମଦାବାଦରେ ହାଇସ୍କୁଲ ପଢା ତା ପରେ ଲଣ୍ଡନରେ ଓକିଲାତି । ହେଲେ ମା’ ପୁତିଲି ରାଜି ନ ଥାନ୍ତି ପୁଅ ବିଦେଶ ଯାଉ ବୋଲି । ହେଲେ ବିଧାତାର ଗତି କିଏ ବା ଟାଳିପାରେ । ଲଣ୍ଡନରେ ପାଠ ପଢି ଭାରତ ଫେରିଲେ । ଆଉ ତାପରେ ଚାକରି ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା ।

ଆଉ ଏଇଠୁ ଆରମ୍ଭ ହୁଏ ସ୍ବାଧୀନ ଚେତା ମହାତ୍ମାଙ୍କ ଦେଶ ଗଠନର ପ୍ରତିଜ୍ଞା । ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବିଦ୍ବେଶ ତାଙ୍କୁ ଭାରତୀୟ ସ୍ବାଧୀନତା ସଂଗ୍ରାମ ପାଇଁ ବାଟ କଢେଇ ନିଏ । ଗୋପାଳ କୃଷ୍ଣ ଗୋଖଲେଙ୍କ ପ୍ରରୋଚନାରେ ଦେଶ ପାଇଁ ସମର୍ପି ହୁଏନ୍ତି ମୋହନ ଦାସ କରମଚାନ୍ଦ ଗାନ୍ଧୀ । ପାଲଟି ଯାଆନ୍ତି ଗାନ୍ଧୀଜୀ, ଆମ ସମସ୍ତଙ୍କର ପ୍ରିୟ ବାପୁ ।

ଭାରତୀୟ ରାଜନୀତିରେ ଗାନ୍ଧିଜୀଙ୍କ ପ୍ରବେଶ ଭାରତ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ଏହି ସଂଗ୍ରାମରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ । ନୋବେଲ ଶାନ୍ତି ପୁରସ୍କାର ପାଇଁ ଗାନ୍ଧୀଙ୍କୁ ୫ ଥର ଚୟନ କରାଯାଇଥିଲା । ୪ ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ । ସହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଜୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା । ଜୀବନ କାଳରେ ଗାନ୍ଧୀଜୀଙ୍କ ହାରାହାରି ଦୈନିକ ପଦଯାତ୍ରା ଥିଲା ୧୮ କିଲୋମିଟର ଯାହା ୨ ଥର ବିଶ୍ୱ ଭ୍ରମଣ ପାଇଁ ଯଥେଷ୍ଟ । ମହାତ୍ମା ଗାନ୍ଧୀଙ୍କ ନାମରେ ଭାରତରେ ଓ ବିଦେଶରେ ୪୮ଟି ମୁଖ୍ୟରାସ୍ତା ଲୋକାର୍ପିତ ହୋଇଛି । ଡର୍ବାନ, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ୩ଟି ଫୁଟବଲ କ୍ଲବ ଗଠନରେ ଗାନ୍ଧୀ ଥିଲେ ମୁଖ୍ୟ ପୁରୋଧା  ।