
ନୂଆଦିଲ୍ଲୀ : ସଦ୍ୟସମାପ୍ତ ନିର୍ବାଚନରେ ବିଜୟ ପାଇଁ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ମରିସସର ଜନସାଧାରଣ ପ୍ରଧାନମନ୍ତ୍ରୀ ଜଗନ୍ନାଥଙ୍କ ନେତୃତ୍ୱ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଛନ୍ତି । ଏହା ମରିସସ ସରକାରଙ୍କ ବିକାଶମୂଳକ ନୀତି ପ୍ରତି ସେମାନଙ୍କ ସମର୍ଥନକୁ ସୂଚାଉଛି । ଆପୋସ ହିତ ଲାଗି ଦୁଇ ଦେଶ ମଧ୍ୟରେ ନିବିଡ଼ ଏବଂ ବ୍ୟାପକ ସହଯୋଗ ପାଇଁ ସେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତ ସହ ଏହି ସ୍ୱତନ୍ତ୍ର ସମ୍ପର୍କକୁ ଆଗେଇ ନେବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ ।
ନିକଟରେ ଅନୁଷ୍ଠିତ ଅପ୍ରବାସୀ ଦିବସ ସମାରୋହରେ ଉତର ପ୍ରଦେଶ ରାଜ୍ୟପାଳଙ୍କ ଉପସ୍ଥିତି ପାଇଁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଭାରତ ଗସ୍ତ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ସ୍ୱୀକାର କରିଥିଲେ ଏବଂ ଯଥାଶୀଘ୍ର ସମ୍ଭବ ସେ ଭାରତ ଗସ୍ତ କରିବେ ବୋଲି କହିଥିଲେ ।
ସ୍ରୋତ-ପିଆବି



