Saturday, October 10, 2026
Home ଆଞ୍ଚଳିକ ଉପକୂଳର ଯାଯାବର କେଳା ଜନଜାତି ଉପେକ୍ଷିତ

ଉପକୂଳର ଯାଯାବର କେଳା ଜନଜାତି ଉପେକ୍ଷିତ

42

୩୦/୦୯/୨୧ (ଜିଲ୍ଲା ଖବର) : ପୁରୀ ଜିଲ୍ଲା ପିପିଲି , ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକରେ କେଳା, ମୁଣ୍ଡପୋତା କେଳା,ସବାଖିଆ କେଳା ଓ ମାଟିଆ ସମ୍ପ୍ରଦାୟର ଅନେକ ପରିବାର ଅତ୍ୟନ୍ତ ବିପଦସଂଙ୍କୁଳ ପରିବେଶ ମଧ୍ୟରେ ଜୀବନ ଓ ଜୀବିକା ନିର୍ବାହ କରୁଥିବା ଜଣାଯାଇଛି । ଏମାନଙ୍କ ସହିତ ଦଣ୍ଡାସି ପାଣ  ନଳୁଆ ଶବର, ଡମ୍ବ, ଘୁଷୁରିଆ ଭଳି ଅନେକ ଜାତିର ଲୋକେ ବିକାଶ ଠାରୁ ବହୁ ଦୂରରେ ଥିବା ନେଇ ଏକ ଅଧ୍ୟୟନ ରିପୋର୍ଟରୁ ସାମ୍ନାକୁ ଆସିଛି  ।

ବୁଧବାର ଭୁବନେଶ୍ୱରରେ ଆୟୋଜିତ ଅଧ୍ୟୟନ ରିପୋର୍ଟ ଉପସ୍ଥାପନା କର୍ମଶାଳାରେ ଯୋଗଦେଇ  ଜନଜାତିର ପ୍ରତିନିଧି ମାନେ  ନିଜର ଜୀବନ ଜୀବିକାର ଦୟନୀୟ ସ୍ଥିତିର ଅବତାରଣା କରିଥିଲେ ।

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ନାଗେଶ୍ୱର ଗାଁର ମୁଣ୍ଡ ପୋତା କେଳା ସଂପ୍ରଦାୟରୁ ପ୍ରତିନିଧିତ୍ଵ କରୁଥିବା ମୁରଲୀ ଶିକାରୀ ଓ ତାଙ୍କ ପତ୍ନୀ ରୂପା ଶିକାରୀ ଏଥିରେ ଯୋଗଦେଇ କହିଲେ ଯେ ଅତୀତରେ ଆମ ବାପ ଅଜା ମାନେ ବାଜା ବଜେଇ ,ପାଳରେ ତିଆରି ଖଣ୍ଡି ଘୋଡା ନାଚ ଦେଖାଇ ଓ ଖଜୁରୀରେ ପଟି ତିଆରି କରି ପେଟ ପୋଷୁଥିଲେ । ସେମାନଙ୍କ ନିକଟରେ ଜମି ନ ଥିଲା । ଏବେ ଆମ ପାଖରେ ବି ଜମି ନାହିଁ । ନାଗେଶ୍ୱର ଗାଁରେ ଏବେ ବି 5 ମୁଣ୍ଡପୋତା କେଳା ମାଟିରେ ମୁଣ୍ଡ ପୋତି ଗାଁ ମାନଙ୍କରୁ ଖାଦ୍ୟ ମାଗି ପେଟ ପୁରାନ୍ତି । ଜୀବିକା ନିର୍ବାହକୁ ସୁଗମ କରିବା ପାଇଁ ସରକାର କୌଣସି ସହାୟତା ଦେଇନାହାନ୍ତି । ଗାଁ ଦାଣ୍ଡ ଏବେ କଂକ୍ରିଟ ହୋଇଯିବା ପରେ ବୃତ୍ତି କମିଯାଉଥିବାରୁ ଅନେକେ କୃଷି କ୍ଷେତକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଜମିର ମାଲିକାନା ନଥିବାରୁ କୃଷି ଶ୍ରମିକ ଭାବେ ଜୀବିକା ନିର୍ଭର କରୁଛନ୍ତି । କିନ୍ତୁ ବର୍ଷ ସାରା କାମ ମିଳୁନି ।

ବ୍ରହ୍ମଗିରି ,ପୁରୀ ଓ ପିପିଲି ବ୍ଲକରେ ରହୁଥିବା ଘୁଷୁରିଆ ଜନଜାତି ଏବେ ନିଜ ବୃତ୍ତିକୁ ଛାଡିବାକୁ ବସିଛନ୍ତି । ପୁରୀ ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ଜଣେ ଘୁଷୁରିଆ କହିଥିଲେ ଯେ ଆମେ ମାଲିକର ଘୁଷୁରୀ ଚରାଇ ପେଟ ପୋଷୁ । ଲୋକେ ଆମକୁ ଅଳିଆ ନାମରେ ଡାକନ୍ତି । ସରକାରୀ ଯୋଜନା ଆମ ପାଇଁ ଦୂର ସ୍ୱପ୍ନ ହୋଇ ରହିଛି । ମନରେଗା ଯୋଜନାରେ ଜବ୍ କାର୍ଡ ଅନେକଙ୍କ ପାଖରେ ନାହିଁ କିମ୍ବା ଯେଉଁମାନଙ୍କ ପାଖରେ ଅଛି ସେମାନଙ୍କୁ କାମ ମିଳିନାହିଁ ।

ସେଣ୍ଟର ଫର ପବ୍ଲିକ ପଲିସି ଆଲଟରନେଟିଭ ଭୁବନେଶ୍ୱର ଓ ଇକୋ ନେଟ, ପୁନେ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ପୁରୀ ଜିଲ୍ଲାର ତିନୋଟି ବ୍ଲକର 10 ଟି ଗାଁରେ 150   ଯାଯାବର ଜନଜାତି ଓ ଅଣବିଜ୍ଞପ୍ତି ଜାତି ଲୋକଙ୍କୁ ନେଇ କରାଯାଇଥିବା ସାମାଜିକ ଓ ଅର୍ଥନୈତିକ ଅଧ୍ୟୟନର ଚିଠା ବିବରଣୀ ଉପସ୍ଥାପିତ କରି ସନ୍ଦୀପ ପଟ୍ଟନାୟକ  କେଳା ଓ ମାଟିଆ ମାନଙ୍କ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

ଇକୋନେଟ ପକ୍ଷରୁ ଗୌରୀ ବୋପାତକର,ସମାଜ ବିଜ୍ଞାନୀ ଗଦାଧର ପରିଡା, ନୃତ୍ତତ୍ବ ବିଭାଗର ପ୍ରାକ୍ତନ ପ୍ରଫେସର ଜଗନ୍ନାଥ ଦାସ ପ୍ରମୁଖ ଉପକୂଳର ଏହି ବିପଦ ସଂକୁଳ ଜନଜାତି ଓ ଜାତିଙ୍କ ବିଭିନ୍ନ ସ୍ଥିତି, ସମସ୍ୟା ଓ କାର୍ଯ୍ୟପନ୍ଥା ବାବଦରେ ଆଲୋଚନା କରିଥିଲେ ।