
୩୦/୦୯/୨୧ (ଜିଲ୍ଲା ଖବର) : ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତ ଭାବେ ପରିଚିତ । ହନୁମାନଙ୍କ ମାତାଙ୍କ ନାମ ଅଞ୍ଜନା, ଏବଂ ବାୟୁଦେବତାଙ୍କ ପୁତ୍ର । ହନୁମାନ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ହନୁମାନ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇଥିଲେ। ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ ।
କୁହାଯାଏ ଭଗବାନ ଶିବଙ୍କ ୧୧ତମ ଅବତାର ହେଉଛନ୍ତି ବଜରଙ୍ଗବାଲି ହନୁମାନ। ତାଙ୍କୁ ମହାବୀର ବୋଲି କୁହାଯାଏ। ରାମାୟଣରେ ପ୍ରଭୁ ରାମଚନ୍ଦ୍ର ଓ ରାବଣଙ୍କ ଯୁଦ୍ଧ ଭିତରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ରାମାୟଣରେ ହନୁମାନଙ୍କର ବୀରତ୍ୱର ଅନେକ ଗାଥା ବର୍ଣ୍ଣନା ହୋଇଛି। ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି ହନୁମାନ କାହିଁକି ପଞ୍ଚମୁଖୀ ଅବତାର ଧାରଣ କରିଥିଲେ। ଆଜି ଆମେ ଧର୍ମକଥାରେ ସେ ବିଷୟରେ ଜାଣିବା।
ଭକ୍ତଙ୍କ ସମସ୍ତ ସଙ୍କଟ ଦୂର କରିଥାନ୍ତି ଭଗବାନ ହନୁମାନ। ସେଥିପାଇଁ ତାଙ୍କୁ ସଙ୍କଟମୋଚନ ବୋଲି କୁହାଯାଏ। ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହେଉଛନ୍ତି ହନୁମାନ। ସର୍ବଦା ରାମ ନାମ ସ୍ମରଣ କରିଥାନ୍ତି ହନୁମାନ। କିନ୍ତୁ ଥରେ ପ୍ରଭୁ ଶ୍ରୀରାମଙ୍କ ସଙ୍କଟ ପଡିବା ହେତୁ ହନୁମାନ ପଞ୍ଚମୁଖୀ ଅବତାର ଧାରଣ କରି ତାଙ୍କୁ ଉଦ୍ଧାର କରିଥିଲେ। ଲଙ୍କା ଯୁଦ୍ଧ ସମୟରେ ଯେତେବେଳେ ରାବଣର ଭାଇ ଅହିରାବଣ ନିଜ ମାୟାବି ଶକ୍ତି ବଳରେ ସ୍ୱୟଂ ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ମୂର୍ଚ୍ଛିତ କରି ତାଙ୍କୁ ପାତାଳ ଲୋକ ନେଇଯାଇଥିଲେ। ସେତେବେଳେ ସେଠାରେ ଅହିରାବଣ ପାଞ୍ଚ ଦିଗରେ ପାଞ୍ଚଟି ଦୀପ ଜଳାଇଥିଲେ ।
ଅହିରାବଣକୁ ବରଦାନ ମିଳିଥିଲା କି, ଯେ ପର୍ଯ୍ୟନ୍ତ କେହି ଏକାସାଙ୍ଗରେ ଏହି ଦୀପ ଗୁଡିକୁ ନଲିଭାଇଛନ୍ତି, ସେପର୍ଯ୍ୟନ୍ତ ଅହିରାବଣ ବଦ୍ଧ ହେବ ନାହିଁ। ଅହିରାବଣର ଏହି ମାୟାକୁ ଶେଷ କରିବା ପାଇଁ ପାଞ୍ଚଦିଗ ଆଡକୁ ମୁହଁ କରି ପଞ୍ଚମୁଖୀ ଅବତାର ନେଇଥିଲେ ପ୍ରଭୁ ହନୁମାନ। ଏହାସହ ଏକାସାଙ୍ଗରେ ପାଞ୍ଚଟି ଦୀପ ଲିଭାଇ ଅହିରାବଣର ବଦ୍ଧ କରିଥିଲେ। ଏହାପରେ ପ୍ରଭୁ ରାମ ଏବଂ ଲକ୍ଷ୍ମଣ ବନ୍ଧନମୁକ୍ତ ହୋଇଥିଲେ।
ଯଦି ଆପଣ ହନୁମାନଙ୍କ ଭକ୍ତ ତେବେ ମଙ୍ଗଳବାର ଓ ଶନିବାର ହନୁମାନ ଜୟନ୍ତୀ ଦିନ ହନୁମାନ ଚାଳିସାକୁ ସାତଥର ପାଠ କରନ୍ତୁ। ଦେଖିବେ ସମସ୍ତ ଦୁଃଖ କଷ୍ଟ ଦୂରେଇଯିବ।


