
କଟକ ,୨୯/୦୯/୨୧ (ଜିଲ୍ଲା ଖବର) : ଚଳିତବର୍ଷ ଓଏସଏସଟିଇଟି ପରୀକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ଏବିଭିପିର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଦ୍ୱାରସ୍ଥ ହୋଇଛି । ଏବିଭିପିର ରାଜ୍ୟ ଛାତ୍ରୀପ୍ରମୁଖ ସଙ୍ଗୀତା ପଣ୍ତାଙ୍କ ନେତୃତ୍ବରେ ଏକ ଟିମ ଯାଇ ବୋର୍ଡ କତ୍ତୃପକ୍ଷଙ୍କୁ ଭେଟିଛି। ଏବିଭିପି କହିଛି ଯେ ଚଳିତ ବର୍ଷ ଉକ୍ତ ପରୀକ୍ଷାର ପାଠ୍ୟକ୍ରମ ଓ ପ୍ରଶ୍ନପତ୍ର ମଧ୍ୟରେ ଅସାମଞ୍ଜସ୍ୟ ପରିଲକ୍ଷିତ ହୋଇଥିଲା।
ଉଦାହରଣ ସ୍ୱରୂପ କଳା ବିଭାଗରେ ଅଧ୍ୟୟନ କରିଥିବା ବିଦ୍ୟାର୍ଥୀ ମନେ କେବଳ ଓଡ଼ିଆ ବା ଇଂରାଜୀ ବିଷୟରେ ତିରିଶ ନମ୍ବରର ପରୀକ୍ଷା ଦେବେ ବୋଲି ବୋର୍ଡର ନିର୍ଦେଶନମାରେ ଉଲ୍ଲେଖ ଥିବାବେଳେ ଗତ ସେପ୍ଟେମ୍ବର ୧ ତାରିଖରେ ହୋଇଥିବା ପରୀକ୍ଷାରେ ପନ୍ଦର ମାର୍କ ଓଡ଼ିଆ ଓ ପନ୍ଦର ମାର୍କ ଇଂରାଜୀ ବିଷୟରୁ ପ୍ରଶ୍ନ ଆସିଥିଲା। ପରୀକ୍ଷା ପରେ ପରୀକ୍ଷାର୍ଥୀ ମନେ ଏହି ବିଷୟକୁ ନେଇ ନ୍ୟାୟାଳୟର ଦ୍ୱାରସ୍ଥ ହେବାପରେ ବୋର୍ଡ କତ୍ତୃପକ୍ଷ ନିଜ ତ୍ରୁଟିକୁ ଲୁଚାଇବା ପାଇଁ ଏକ ନୂତନ ନିର୍ଦେଶନମା ସେପ୍ଟେମ୍ବର ୧୪ରେ ଜାରି କରିଥିଲେ।
ଏହାରି ଭିତରେ ଚଳିତ ବର୍ଷ ଓଏସଏସଟିଇଟି ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀମାନେ ଅନେକ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛନ୍ତି। ଏ ବିଷୟକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ ପ୍ରତିନିଧି ମଣ୍ଡଳ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ର ସମ୍ପାଦକଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏ ବିଷୟରେ ତୁରନ୍ତ ଉଚିତ ପଦକ୍ଷପ ଗ୍ରହଣ ନକଲେ ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ଏବିଭିପିର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି।



