
କଟକ,୨୮/୦୯/୨୧ (ଜିଲ୍ଲା ଖବର) : ଜଣେ ସରପଞ୍ଚଙ୍କୁ ତାଙ୍କ ପଦରୁ ବହିଷ୍କାର କରିପାରିବେ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳଙ୍କର ଆଇନଗତ କ୍ଷମତା ଅଛି ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ହାଇକୋର୍ଟ ।
୨୧ ବର୍ଷ ପୂରଣ କରିନଥିବା ନୂଆପଡ଼ା ବ୍ଲକ ସଲିହା ଗ୍ରାମପଞ୍ଚାୟତର ସରପଞ୍ଚ ମନିତା ସାହୁଙ୍କ ନିର୍ବାଚନକୁ ନୂଆପଡା ଜିଲ୍ଳାପାଳ ଅସିଦ୍ଧ ଘୋଷଣା କରିବା ସହ ତାଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ । ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମନିତା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟର ଜଣିକିଆ ବିଚାରପତି ଜିଲ୍ଲାପାଳଙ୍କ ଏହି ଆଦେଶକୁ ରଦ୍ଦ କରିଥିଲେ । ଏହି ଆଦେଶ ବିରୋଧରେ ହାଇକୋର୍ଟରେ ରିଟ୍ ଅପିଲ କରାଯାଇଥିଲା ।
ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.କେ ମିଶ୍ର ଏବଂ ବିଚାରପତି ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରିବା ସହ ଜିଲ୍ଲାପାଳଙ୍କ ଆଦେଶକୁ କାଏମ ରଖିଛନ୍ତି । ହାଇକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ସରପଞ୍ଚ, ନାଏଵ ସରପଞ୍ଚ, କି ୱାର୍ଡ ସଭ୍ୟ ହୁଅନ୍ତୁ ଜଣେ ନିର୍ବାଚିତ ପ୍ରତିନିଧି ଉକ୍ତ ପଦରେ ରହିପାରିବେ କି ନାହିଁ ସେ ସଂକ୍ରାନ୍ତରେ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ ।



