
ନୂଆଦିଲ୍ଲୀ, ୨୮/୦୯/୨୧ (ଜିଲ୍ଲା ଖବର) : ନିଜ ସ୍ବରରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତନ୍ତି ସେ । ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ ତାଙ୍କ ସ୍ବରର ଯାଦୁ । ସତରେ ତାଙ୍କ ସ୍ବରରେ ଯେମିତି ସ୍ବୟଂ ମା ସରସ୍ବତୀ ବିଜେ କରନ୍ତି । ତାଙ୍କ ସ୍ବରରେ ଏତେ ମଧୁରତା ଭରି ରହିଛି ଯେ, ଯେ କେହିବି ତାଙ୍କ ଶୁଣି ବିମୋହିତ ହୋଇ ପଡନ୍ତି । ‘ଭାରତ ରତ୍ନ’ ସମ୍ମାନରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ବଲିଉଡର ସୁନାମଧନ୍ୟ ଗାୟିକା ଲତା ମଙ୍ଗେସକର ।
ଖୁବ୍ ସୁନ୍ଦର ତାଙ୍କର ଗାୟନ ଶୈଳୀ । ଗୀତକୁ ସେ ପୁଜା ବୋଲି ଭାବନ୍ତି । ଯେଉଁଥିପାଇଁ ସେ ଗୀତ ରେକଡିଂ କରିବା ସମୟରେ ଖୋଲା ପାଦରେ ଗୀତ ଗାଆନ୍ତି । ତେବେ ନିଜ ସ୍ବରରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଲତା ମଙ୍ଗେସକରଙ୍କ ଆଜି ଜନ୍ମଦିନ । ୨୮ ସେପ୍ଟେମ୍ବର ୧୯୨୯ରେ ଇନ୍ଦୋରରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ୯୨ ବର୍ଷରେ ପାଦ ଥାପିଛନ୍ତି । ଖୁବ୍ କମ୍ ବୟସରେ ଲତା ଜୀ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ସଫଳତା ମଧ୍ୟ ହାସଲ କରିଥିଲେ । ବିଭିନ୍ନ ଭାଷାରେ ସେ ଗୀତ ଗାଇଛନ୍ତି ।
ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଓ ଥିଏଟର ଆର୍ଟିଷ୍ଟ ଥିଲେ । ଘରେ ସଂଗୀତର ମାହୋଲ ଥିବାରୁ ପିଲା ବେଳୁ ଗୀତ ଗାଇବା ପ୍ରତି ତାଙ୍କର ରୁଚି ଥିଲା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ, ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ତାପରେ ଘର, ପରିବାର ଚଳାଇବା ପାଇଁ ୧୯୪୨ରେ ସେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ । ମରାଠୀ ଚଳଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଆଜି ତାଙ୍କ ପାଇଁ ତାଙ୍କ ନା ହିଁ ଯଥେଷ୍ଟ । ଆଉ କୌଣସି ପରିଚୟର ଆବଶ୍ୟକ ନାହିଁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅର୍ଗସ୍ ପରିବାର ତରଫରୁ ଢେରସାରା ଶୁଭକାମନା ଏବଂ ଭଲପାଇବା ।




