
୨୭/୦୯/୨୧ (ଜିଲ୍ଲା ଖବର) : ଓଡିଶାରୁ ଟଳିଲା ବାତ୍ୟା ବିପଦ। ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ ଗୁଲାବ୍। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରବିବାର ସନ୍ଧ୍ୟାରେ ବାତ୍ୟା ଗୁଲାବ ଆନ୍ଧ୍ର କଳିଙ୍ଗପଟନମ ଠାରୁ ୩୦କିମି ଦୂର ସନ୍ଥଗୁଡାଠାରେ ଲ୍ୟାଣ୍ଡଫଲ୍ କରିଛି।
ସନ୍ଧ୍ୟାରୁ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଥିବା ବେଳେ ରାତି ସାଢେ ୯ଟା ପର୍ଯ୍ୟନ୍ତ ପ୍ରାୟ ୩ଘଣ୍ଡାରୁ ଉର୍ଦ୍ଧ ସମୟ ଧରି ଏହି ପ୍ରକ୍ରିୟା ଜାରି ରହିଥିଲା। ତେବେ ଓଡିଶା ଉପରେ ବାତ୍ୟାର ବିଶେଷ ପ୍ରଭାବ ପଡି ନ ଥିବା ବେଳେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ହୋଇଛି । ଗଜପତି, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହେବା ସହିତ ପବନର ବେଗ ମଧ୍ୟ ୫୦ରୁ ୬୦କିମି ରହିଥିବା ଦେଖିବାକୁ ମିଳିଛି। ରାତି ଗୋଟାଏ ସୁଦ୍ଧା ବାତ୍ୟା ଗୁଲାବ କ୍ରମଶ ଦୁର୍ବଳ ହୋଇ ଛତିଶଗଡ ମୁହାଁ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ ବାତ୍ୟା ଗୁଲାବ୍ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଥିଲେ ମଧ୍ୟ ଏବେସୁଦ୍ଧା କୌଣସି ବିଶେଷ କ୍ଷୟକ୍ଷତି ସୂଚନା ମିଳିନାହିଁ। ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ୪୨ଟି ଓଡ୍ରାଫ୍, ୨୪ଟି ଏନ୍ଡିଆର୍ଏଫ୍ ଏବଂ ୧୦୩ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯାଇଛି। ସେହିପରି ଦକ୍ଷିଣ ଓଡିଶାର କିଛି ଜିଲ୍ଲାରୁ ପ୍ରାୟ ୩୯ ହଜାରରୁ ଉର୍ଦ୍ଧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦,୫୦୦, ରାୟଗଡାରେ ୨୩୬୦, କୋରାପୁଟରେ ୮୨୬୦ ଏବଂ ମାଲକାନଗିରିରେ ୬୫୮୨ ଜଣଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୩୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ତେବେ ବାତ୍ୟା ଗୁଲାବ ଅତିକ୍ରମ ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଘଟଣ ସାମ୍ନାକୁ ଆସିନାହିଁ। ଆଜି ଦିନ ୧୨ଟା ସମୟରେ କ୍ଷୟକ୍ଷତି ଆକଳନ ପରେ ଏସଆରସିଙ୍କ ପକ୍ଷରୁ ରିର୍ପୋଟ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।


