
୨୬/୦୯/୨୧ (ଜିଲ୍ଲା ଖବର) : ବାତ୍ୟାର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଂବଳୟ। ଧିରେ ଧିରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ମୁହାଁଉଥିବା ବେଳେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା କଳିଙ୍ଗପାଟନମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ଗୁଲାବ । ଏହି ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏହାର ସର୍ବାଧିକ ପ୍ରଭାବ ରହିବ । ଏହି ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବ ବୋଲି ଆଶଙ୍କା କରାଯାଉଛି। ସେହିପରି ପୁରୀ, ଖୋର୍ଦ୍ଧା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବାତ୍ୟା ଗୁଲାବର ପ୍ରଭାବ ଦେଖିବାକୁ ମିଳିବ । ଏହି ଜିଲ୍ଲାମାନଙ୍କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଓ ପବନ ଯୋଗୁଁ କଚ୍ଚା ଘର ଓ କାନ୍ଥ ଭୁସୁଡ଼ିବା ସହ ଗଛ ଉପୁଡିବାର ଆଶଙ୍କା ରହିଛି ।
ସେହିପରି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଫସଲ ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ପାରାଦୀପ ଓ ଧାମରା ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଗୋପାଳପୁର ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି ହୋଇଛି ।
IMDର ସୂଚନା ଅନୁସାରେ ବାତ୍ୟା ଗୁଲାବ ବର୍ତ୍ତମାନା ଗୋପାଳପୁର ଠାରୁ ୩୫୦ କିଲୋମିଟର ଓ କଳିଙ୍ଗପାଟନମ ଠାରୁ ୪୨୦ କିଲୋମିଟର ଦୂରରେ ରହିଛି । ଏହା ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢ଼ୁଛି ।


