
୨୬/୦୯/୨୧ (ଜିଲ୍ଲା ଖବର) : ମାଡିଆସୁଛି ବାତ୍ୟା ଲୁଗାବ। ବାତ୍ୟା ଗୁଲାବ ବର୍ତ୍ତମାନ ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୧୮୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟନମର ପୂର୍ବ ଉତ୍ତର ପୂର୍ବକୁ ୨୪୦ କିମି ଦୂରରେ ରହିଛି। ଏହା ପ୍ରାୟ ପଶ୍ଚିମ ଦିଗକୁ ଯାଇ ଉତ୍ତର ଆନ୍ଧ୍ରପ୍ରଦେଶ – ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପଟନମ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ବାତ୍ୟା ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ସ୍ଥଳଭାଗ ଅଭିମୁଖେ ଅଗ୍ରସର ସହ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଲାଣି । ଆରମ୍ଭ ହୋଇଛି ବର୍ଷା ପବନ । ଆଜି ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେବ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି । ଏସବୁ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟଧିକ ବର୍ଷା ହେବ ।
ସେହିପରି ଆଜି ପାଇଁ ୪ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।


