
୨୬/୦୯/୨୧ (ଜିଲ୍ଲା ଖବର) : ଆଜି ମାଓ ଦମନ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ । ଏହି ବୈଠକରେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ଯୋଗଦେବେ । ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଭଳି ୧୦ଟି ମାଓ ଉପଦ୍ରୁତ ରାଜ୍ୟର ପ୍ରତିନିଧି ମାନଙ୍କ ସହିତ ବୈଠକ ହେବ।
ବୈଠକରେ ମାଓ ଦମନ ଲାଗି ନିଆଯାଇଥିବା ପଦକ୍ଷେପ ତଥା ଭବିଷ୍ୟତ ଯୋଜନା ସଂପର୍କରେ ରାଜ୍ୟମାନେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବେ। ମାଓ ପ୍ରବଣ ରାଜ୍ୟମାନଙ୍କ ପ୍ରଭାବିତ ଜିଲ୍ଲା ଗୁଡିକରେ ଭିତ୍ତିଭୂମି ବିକାଶ, ସଡ଼କ ଯୋଗାଯୋଗ, ମୋବାଇଲ୍ ଟାୱାର ସ୍ଥାପନ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।
ବୈଠକରେ ମାଓ ଦମନ ଅଭିଯାନ ନେଇ ଭବିଷ୍ୟତ ରଣନୀତି ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ବିଚାରବିମର୍ଶ କରିବେ । ଏହି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


