ହାଜତ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି କଲେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ

16

ବରଗଡ, ୨୬/୦୯/୨୧ (ଜିଲ୍ଲା ଖବର) : ହାଜତ ମୃତ୍ୟୁ ଅଭିଯୋଗ ପରେ ରକ୍ତମୁଖା ହୋଇଛି ବରଗଡ ପୋଲିସ । ନ୍ୟାୟ ଦାବିରେ ଆନ୍ଦୋଳନରେ ବସିଥିବା ଲୋକଙ୍କୁ ଗୋଡେଇ ଗୋଡେଇ ପିଟିଲା ପୋଲିସ । ଏକ ଦଙ୍ଗା ମାମଲାରେ ବରଗଡ ଟାଉନ ପୋଲିସ ତୋରା ଗାଁର ୨୫ ବର୍ଷୀୟ ଯୁବକ ଗୋବିନ୍ଦ କୁମ୍ଭାରଙ୍କୁ ରାତି ୨ଟାରେ ଘରୁ ଉଠାଇ ନେଇଥିଲା ।

ହାଜତରେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡୁଥିବା କହି ପୋଲିସ ପ୍ରଥମେ ଟାଉନ୍ ହସ୍ପିଟାଲ ଏବଂ ପରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ଯେଉଁଠି ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ।  ଏହାପରେ ଡାକ୍ତରଖାନାରେ ଦେଖା ଦେଇଥିଲା ଉତ୍ତେଜନା । ହାଜତ ଭିତରେ ମାଡ଼ ମାରିବାରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିାବ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରିବାରର ଦାବି କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଦିଆଯାଉ।

ଏହାସହ ଘରୁ ଉଠାଇ ନେଇଥିବା ପୋଲିସ କର୍ମୀଙ୍କୁ ଚାକିରିରୁ ବରଖାସ୍ତ କରାଯାଉ । ସେପଟେ ଘଟଣାର ଶାନ୍ତି କମିଟି ବୈଠକ ହୋଇଛି । ଜାତୀୟ ମାନବ ଅଧିକାର କମିଶନ ଦ୍ଵାରା ତଦନ୍ତ କରାଯିବ ।  ଅଭିଯୋଗ ହୋଇଥିବା ପୋଲିସ ଅଧିକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲା ବାହାର ପୋଲିସ ଅଧିକାରୀ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ଜେ. ଏନ ପଙ୍କଜ । ଅନ୍ୟପଟେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ।