ହାତୀ ଓ ନିଖୋଜ ଓଡ୍ରାଫ ଟିମ ସଦସ୍ୟଙ୍କର ଉଦ୍ଧାର ପାଇଁ ଚାଲିଛି ଚେଷ୍ଟା

8

୨୫/୦୯/୨୧ (ଜିଲ୍ଲା ଖବର) :  ମହାନଦୀ ମୁଣ୍ଡଳି ବ୍ୟାରେଜରେ ଫସିଥିବା ଦନ୍ତା ଭାସିଯାଇଛି । ଦୀର୍ଘ ସମୟ ଧରି ନଦୀ ସ୍ରୋତରେ ସଂଘର୍ଷ କରିବା ପରେ ଭାସିଯାଇଛି ହାତୀ । ସେପଟେ ଉଦ୍ଧାର ବେଳେ ଡଙ୍ଗା ବୁଡ଼ି ନିଖୋଜ ଥିବା ଓଡ୍ରାଫ ଟିମ୍ ର ବରିଷ୍ଠ ଡ୍ରାଇଭର ସୀତାରାମ ମୁର୍ମୁଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି ।

ଗତକାଲି ମୁଣ୍ଡଳୀ ଦେଇ ନଦୀ ପାର୍ ହେଉଥିଲେ ହାତୀ ପଲ । ହେଲେ ତାମଧ୍ୟରୁ ଏକ ଦନ୍ତା ନଦୀ ସ୍ରୋତରେ ଫସି ରହିଥିଲା । ଯାହାକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ । କଦଳୀ ଆଦି ପ୍ରଲୋଭନ ଦେଇ ହାତୀଟିକୁ କୂଳକୁ ଘଉଡାଇ ଦିଆଯାଇଥିଲା ।  ହାତୀଟି କଦଳୀ ଖାଇବା ପରେ ପୁଣି ନଦୀ ମଝିକୁ ପଳାଇଥିଲା । ତାକୁ ପୁଣି କୂଳକୁ ଘଉଡାଇବା ପାଇଁ ବୋଟ୍ ରେ ଓଡ୍ରାଫ ଟିମ୍ ଯାଇଥିଲେ ।

ଯେଉଁଥିରେ ସାମିଲ୍ ଥିଲେ ବୈଦ୍ୟୁତିକ ଗଣମାଧ୍ୟମ ଓଟିଭିର ଦୁଇ ପ୍ରତିନିଧି । ପାଟି କରି ହାତୀକୁ ଘଉଡାଇବା ସମୟରେ ବୋଟ୍ ଟି ଓଲଟି ପଡିଥିଲା । ଯେଉଁଥିରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ବିୟୋଗ ହୋଇଛି । କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କର ବର୍ତ୍ତମାନ ଏସସିବି ମେଡିକାଲରେ ଚିକିତ୍ସା ଜାରି ରହିଛି ।