
କଟକ, ୨୪/୦୯/୨୧ (ଜିଲ୍ଲା ଖବର) : ବନ୍ଦୀଶାଳାରେ ପଡିଲା ହାତଗଣ୍ଠି। ସାତ ଜନମ ପାଇଁ ପିନ୍ଧାଇଲେ ଶଙ୍ଖା, ସିନ୍ଦୁର। କହିଲେ ତୁ ମୋର, ମୁଁ ତୁମର। ଆମେ ଦୁଇ ଜଣ, ଦୁହିଁଙ୍କ ପାଇଁ। ଏଭଳି ଘଟଣା ଚୌଦ୍ୱାର ସର୍କଲ୍ ଜେଲ୍ ପରିସରରେ ଦେଖିବାକୁ ମିଳିଛି । ତେବେ ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ ବି ଅବାକ ହୋଇଯିବେ।
ଘଟଣା ଟି ହେଲା କଟକ ଜିଲ୍ଲା ନିଆଳି ଥାନା ଖେରେଞ୍ଚ ଗାଁର ସୁକାନ୍ତ ମଳିକଙ୍କ ଦିବ୍ୟାଙ୍ଗ ଝିଅ ରାନୁ ସେହି ଗ୍ରାମର ନୁରସିଂହ ମଳିକଙ୍କ ପୁଅ ଅର୍ଜୁନ ମଳିକଙ୍କୁ ପ୍ରେମ କରୁଥିଲେ। ଦୁହେଁ ଦୁହିଙ୍କୁ ବହୁ ଭଲ ପାଉଥିଲେ। ଅର୍ଜୁନ, ରାନୁଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଯାହା ଫଳରେ ରାନୁ ଗର୍ଭବତୀ ହୋଇଥିଲେ।
ଏହା ଜଣା ପଡିଲା ପରେ ରାନୁଙ୍କ ବାପା ବିବାହ ପ୍ରସ୍ତାବ ନେଇ ଅର୍ଜୁନଙ୍କ ଘରକୁ ଯାଇଥିଲେ ଓ ବିବାହ ପାଇଁ ନିବେଦନ କରିଥିଲେ। ମାତ୍ର ସେ ବିବାହ ପାଇଁ ମନା କରିଥିଲେ। ଏପରିକି ଅର୍ଜୁନ ଧରାଛୁଆଁ ଦେଇ ନ ଥିଲେ। ଯାହାକୁ ନେଇ ଗାଁରେ ବୈଠକ ବସିଥିଲା। ମାତ୍ର କୌଣସି ସୁଫଳ ବାହାରି ପାରି ନ ଥିଲା। ଏ ନେଇ ରାନୁଙ୍କ ଘର ଲୋକ ନିଆଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଅର୍ଜୁନକୁ ୨୦୧୬ ମସିହାରେ ଗିରଫ କରି ଅର୍ଜୁନଙ୍କ ଜାମିନ ନାମଞ୍ଜୁର ହେବାରୁ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଥିଲା।
ଅନ୍ୟପଟେ ରାନୁ ବସୁନ୍ଧରାରେ ରହୁଥିଲେ ଓ ଅର୍ଜ୍ଜୁନଙ୍କ କଥା ମନେ ପଡିଲେ ନିଜ ହାତରେ ଅର୍ଜୁନ ଙ୍କ ନାଁ ଲେଖିବା ସହ ତାଙ୍କ କଥା ଭାବୁଥିଲେ। ମାମଲା ସ୍ପେଶାଲ୍ ପୋକ୍ସୋ କୋର୍ଟରେ ବିଚାର ଚାଲିଥିଲା। ଏହାରି ଭିତରେ ରାନୁ ନାବାଳିକାରୁ ସାବାଳିକା ହୋଇଯାଇଥିଲେ। ଅର୍ଜୁନ ମଧ୍ୟ ନିଜର କର୍ମ ପାଇଁ ଅନୁତାପ କଲେ। ରାନୁକୁ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏନେଇ ସେ ନିଜ ପରିବାର ଲୋକ ଓ ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।
ଗୁରୁବାର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ଦୁଇ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଳରେ ରାନୁ ଓ ଅର୍ଜୁନଙ୍କ ବିବାହ ହୋଇଥିଲା।



