
କଟକ,୨୩/୦୯/୨୧ (ଜିଲ୍ଲା ଖବର) : DRDO ତଥ୍ୟ ପ୍ରଘଟ ମାମଲାରେ ପୁଣି ସାମ୍ନାକୁ ଆସିଲା ଆଉ ଗୋଟିଏ ସଙ୍ଗୀନ ତଥ୍ୟ। ସଂପୃକ୍ତ ପାକିସ୍ତାନୀ ଏଜେଣ୍ଟେଙ୍କ ପ୍ରେମରେ ମସଗୁଲ ଥିଲେ ଅଭିଯୁକ୍ତ ବସନ୍ତ ବେହେରା। ଖାଲି ଏତିକି ନୁହେଁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହା ସହ ଯେଉଁ ବିଦେଶୀ ଟଙ୍କା ଭାରତ ଆସିଥିବା କଥା କୁହାଯାଉଥିଲା ସେ ଟଙ୍କା ବସନ୍ତଙ୍କ ଆକାଉଣ୍ଟକୁ ହିଁ ଆସିଥିଲା। ଦୁଇଟି ଦୁଇଟି କିସ୍ତିରେ ଆସିଥିବା ଟଙ୍କା ବସନ୍ତଙ୍କ ଆକାଉଣ୍ଟରେ ଆସିଥିଲା। କ୍ରାଇମବ୍ରାଞ୍ଚ ଦ୍ଵାରା ଜେରା ସମୟରେ ବସନ୍ତ ଏଭଳି ଉତ୍ତର ଦେଇଛନ୍ତି ବୋଲି ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି।
ହନିଟ୍ରାପ୍ରେ ପଡ଼ି ଦେଶର ପ୍ରତୀରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଇ ଦେଉଥିଲେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜର ୪ ଠିକା କର୍ମଚାରୀ। ତଥ୍ୟ ଲିକ୍ ପରି ସାଂଘାତିକ ଅଭିଯୋଗରେ ନିକଟରେ ଏହି ୪ ଠିକା କର୍ମଚାରୀ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଞ୍ଜନ ନାୟକ ଏବଂ ଶେଖ୍ ମୁସାଫିର ଗିରଫ ହୋଇଥିଲେ। ଆଜି ଜେରା ବେଳେ ବସନ୍ତ ଏଭଳି ସତ ଓଗାଳିଛନ୍ତି ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ୩ ନମ୍ବର ଲଞ୍ଚ ପ୍ୟାଡ୍ରେ AC ଅପରେଟର୍ ଥିବା ବସନ୍ତ ହେଉଛି ପୂରା ଘଟଣାର ମାଷ୍ଟରମାଇଣ୍ଡ । ତାଙ୍କ ପାଖକୁ ପାକିସ୍ତାନ-ରାଜସ୍ଥାନ ସୀମାନ୍ତରୁ ଇଣ୍ଟରନ୍ୟାସନାଲ୍ ଫୋନ୍ କଲ୍ ଆସୁଥିଲା ।
ସୂଚନାଯୋଗ୍ୟ, ୨୦୧୫ରେ ଚାନ୍ଦିପୁର ITRର ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ଗିରଫ ହୋଇ ଜେଲ୍ ଯାଇଥିଲେ। ଦେଶଦ୍ରୋହ ମାମଲାରେ ଈଶ୍ୱର ଜେଲରେ ଆଜୀବନ ସଜା କାଟୁଥିବା ବେଳେ ଏହି ଅଭିଯୁକ୍ତମାନେ ମଧ୍ୟ ଆଗକୁ ସେହିଭଳି ଦଣ୍ଡ ପାଇବେ ବୋଲି ଆଶା କରାଯାଉଛି।



