
୨୩/୦୯/୨୧ (ଜିଲ୍ଲା ଖବର) : ଆଜି ଗୁରୁବାର। ଏହି ଦିନ ଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଏ। ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଠିକ ସେହିପରି ଗୁରୁବାର ଦିନ ସାଇ ବାବାଙ୍କୁ ମଧ୍ୟ ପୂଜା କରାଯାଏ। ଆଜି ଆମେ ଧର୍ମକଥାରେ ଶିରିଡି ସାଇ ବାବାଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।
ଶିରିଡି ସାଇ ବାବା ନାମରେ ପୃଥିବୀ ବିଖ୍ୟାତ । ସେ ଜଣେ ଭାରତୀୟ ଗୁରୁ, ଯୋଗୀ, ଓ ଭିକ୍ଷୁକ ଥିଲେ। ତାଙ୍କର ହିନ୍ଦୁ ଓ ମୁସଲିମ୍ ଧର୍ମର ମିଳନତା ପାଇଁ ସେ ପ୍ରସିଦ୍ଧ । ଘରେ ଘରେ ପୂଜା ପାଆନ୍ତି ସାଇ ବାବା। ଆଜି ଯାଏଁ ବାବାଙ୍କର ଜନ୍ମ ଓ ଜନ୍ମସ୍ଥାନ ବାବଦରେ କିଛି ସୂଚନା ମିଳି ନାହିଁ । ସାଇ ବାବାଙ୍କର ପ୍ରକୃତ ନାମ କାହାକୁ ବି ଜଣା ନାହିଁ । କିନ୍ତୁ ସାରା ଜଗତ ତାଙ୍କୁ ସାଇ ବାବା ନାମରେ ଡାକୁଛି। ତାଙ୍କର ଏହି ସାଇ ନାମକରଣ ସେ ଶିରିଡିକୁ ଆସିବା ସମୟରେ ହୋଇଥିଲା । ଶିରିଡି ପଶ୍ଚିମ ଭାରତର ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ।
ସେଠାକାର ଜଣେ ମନ୍ଦିର ପୁଜାରୀ ମହାଲସପତି ତାଙ୍କୁ ଏହି ନାମ ଦେଇଥିଲେ । ପ୍ରଥମେ ତାଙ୍କୁ ଜଣେ ମୁସଲିମ୍ ବୋଲି ମନେ କରା ଯାଉଥିଲା ଏବଂ ୟା ସାଇ କହି ସ୍ୱାଗତ କରା ଯାଇଥିଲା । ପର୍ସିଆନ୍ ଭାଷାରେ ସୁଫୀ ସନ୍ଥ ମାନଙ୍କୁ ସାଇ କୁହାଯାଏ । ଯାହାର ଅର୍ଥ ହଉଛି ଗରିବ ବ୍ୟକ୍ତି । ଏହାସହ ସଂସ୍କୃତରେ ସାଇର ଅର୍ଥ ହେଉଛି ସାକ୍ଷାତ ଭଗବାନ୍ । ସେ ଭଗବାନ ଓ ଗୁରୁଙ୍କ ପ୍ରତି ଭଲ ପାଇବା, ଦାନ କରିବା, ଅନ୍ୟ ମାନଙ୍କୁ ସାହାଯ୍ୟ କରିବା, ସୁଖ ଶାନ୍ତି ପ୍ରତି ଏକ ଗଭୀର ତାତ୍ତ୍ୱିକ ଭାବ ପ୍ରକାଶ କରୁଥିଲେ । ତାଙ୍କର ସବୁଠାରୁ ହୃଦୟସ୍ପର୍ଶି ଓ ଶିକ୍ଷଣିୟ ସ୍ଲୋଗାନ୍ ହେଲା “ସବକା ମାଲିକ୍ ଏକ୍ ହେ” । ସେ ସବୁବେଳେ କହୁଥିଲେ “ଆଲା ମାଲିକ୍” (ଇଶ୍ୱର ହିଁ ରାଜା) । ଶିରିଡି ସାଇବାବା ଅଷ୍ଟୋତ୍ତରଶତନାମାବଳୀ ସାଇଙ୍କୁ ପ୍ରସନ୍ନ କରିବାପାଇଁ ଭକ୍ତମାନଙ୍କର ଅବଦାନ ବୋଲି ବିଶ୍ୱାସ କରାଯାଏ ।
ବିଶ୍ୱାସ ରହିଛି ଗୁରୁବାର ଦିନ ସାଇ ବାବାଙ୍କୁ ପୂଜା କଲେ ତାଙ୍କର ଆଶିଷ ମିଳିଥାଏ। ଏହି ବ୍ରତ ସମସ୍ତେ କରିପାରିବେ। କେହି କେହି ଏହି ବ୍ରତ ୩ ଗୁରୁବାର, ଆଉ କେହି କେହି ୯ ଗୁରୁବାର ପାଳନ କରନ୍ତି। ତାଙ୍କ ବ୍ରତରେ ରୁଟି ପୂଜା କରାଯାଏ । କୁହାଯାଏ ବିଶ୍ୱାସ ହିଁ ଭଗବାନ, ତେଣୁ ବିଶ୍ୱାସରେ ଯାହା କରିବ ତାହାର ଫଳ ସ୍ୱରୂପ ତୁମକୁ ପ୍ରାପ୍ତି ହେବ।


