
ନୂଆଦିଲ୍ଲୀ, ୨୨/୦୯/୨୧ (ଜିଲ୍ଲା ଖବର) : ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ସିଦ୍ଧାର୍ଥଙ୍କ ଘନିଷ୍ଠ ବାନ୍ଧବୀ ତଥା ଅଭିନେତ୍ରୀ ଶେହନାଜ୍ ଗିଲ୍ । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଏହାରି ମଧ୍ୟରେ କିଛି ଦିନ ବିତି ଯାଇଥିଲେ ମଧ୍ୟ, ଏବେବି ଏକଥାକୁ ସହଜରେ ବିଶ୍ବାସ କରି ପାରୁ ନାହାଁନ୍ତି ଶେହନାଜ୍ । ଏବେ ଯାଏଁ ଶେହନାଜ୍ ସେ ଦୁଃଖରୁ ବାହାରି ପାରୁ ନାହାଁନ୍ତି । ଯାହା ଫଳରେ ତାଙ୍କର ସମସ୍ତ ସୁଟିଂ ବନ୍ଦ ରହିଛି । କିନ୍ତୁ ଖୁବ୍ ଶୀଘ୍ର ଶେହନାଜ ପୁଣି ସୁଟିଂ ଆରମ୍ଭ କରିବା ନେଇ ଆଶା କରାଯାଉଛି । ପଞ୍ଜାବୀ ଫିଲ୍ମ’ହୋଁସଲା ରଖ୍’ ରେ ସାଇନ କରିଛନ୍ତି ଶେହନାଜ୍ । ଏଥିରେ ସେ ଅଭିନେତା ତଥା ଗାୟକ ଦିଲଜିତ୍ ଦୋସାଞ୍ଝଙ୍କ ସହ ନଜର ଆସିବେ ।
୧୫ ସେପ୍ଟେମ୍ବରରେ ଫିଲ୍ମର ପ୍ରମୋସନାଲ ଗୀତ ସୁଟିଂ ହେବାର ଥିଲା। କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜ ସୁଟିଂ କରିବା ଅବସ୍ଥାରେ ନଥିଲେ, ତେଣୁ ନିର୍ମାତା ସୁଟିଂକୁ ସ୍ଥଗିତ ରଖିଥିଲେ।
ଅନ୍ୟପଟେ,ଶେହନାଜଙ୍କ ପ୍ରଶଂସକମାନେ ସେ ଶୀଘ୍ର ଫେରିବା ପାଇଁ ପ୍ରାର୍ଥନା କରୁଛନ୍ତି । ସୋସିଆଲ ମିଡିଆରେ ସମସ୍ତ ପ୍ରଶଂସକ ତାଙ୍କୁ ମେସେଜ୍ କରି ଆଗକୁ ବଢିବାକୁ ପରାମର୍ଶ ଦେଉଛନ୍ତି।


