
ନୂଆଦିଲ୍ଲୀ, ୨୧/୦୯/୨୧(ଜିଲ୍ଲା ଖବର) : ଆଜି ହେଉଛି ବଲିଉଡ ସିନେମାରେ ଖଳନାୟକ ଭାବେ ପରିଚୟ ସୃଷ୍ଟି କରିଥିବା ଗୁଲସନ ଗ୍ରଭୋରଙ୍କ ଜନ୍ମଦିନ । ୨୧ ସେପ୍ଟେମ୍ବର ୧୯୫୫ରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୬୬ତମ ଜନ୍ମଦିନ ପାଳନ କରୁଛନ୍ତି । ଖୁବ୍ କମ୍ ଫିଲ୍ମରେ ସେ ସକରାତ୍ମକ ଚରିତ୍ରରେ ଅଭିନୟ କରିଛନ୍ତି । ଖଳନାୟକ ଭୂମିକାରେ ସବୁବେଳେ ଦର୍ଶକଙ୍କ ହୃଦୟ ଜିତନ୍ତି ଗୁଲସନ୍ ।
ଗୁଲସନଙ୍କ ପିଲାଦିନ ବହୁତ୍ କଷ୍ଟରେ କଟିଥିଲା । ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛନ୍ତି । ସେ ପାଠପଢା ସମୟରେ ସକାଳୁ ସ୍କୁଲ ଡ୍ରେସ ପିନ୍ଧି ଘରୁ ବାହାରି ଯାଉଥିଲେ ଏବଂ ଡିରଜେଣ୍ଟ ବିକ୍ରି କରୁଥିଲେ । ଆଗକୁ ଏକଥା ମଧ୍ୟ ସେ କହିଥିଲେ ଯେ,ସେ ଡିଟରଜେଣ୍ଟ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ । ଏହା ବିକ୍ରି କରିବାକୁ ଯାଉଥିବା ଲୋକମାନେ ମଧ୍ୟ ତାଙ୍କଠାରୁ ଡିଟରଜେଣ୍ଟ ସହଜରେ କିଣି ନେଉଥିଲେ । କାହିଁକି ନାଁ, ସେମାନେ ମଧ୍ୟ ଚାହୁଁଥିଲେ ଯେ, ସେ ପାଠପଢି ଭଲ ମଣିଷ ହୁଅନ୍ତୁ ବୋଲି । ଅଭାବକୁ ସେ କେବେହେଲେ ଡରି ନାହାଁନ୍ତି । କାହିଁକି ନାଁ ତାଙ୍କ ବାପା ତାଙ୍କୁ ସମ୍ମାନର ସହ ବଞ୍ଚିବା ଶିଖାଇଥିଲେ । ଏହାପରେ ମୁମ୍ବାଇ ଆସିବା ପରେ ମଧ୍ୟ କିଛି ଦିନ ତାଙ୍କୁ କଷ୍ଟ ସହିବାକୁ ପଡିଥିଲା । ହେଲେ ସେ କେବେ ଭାଙ୍ଗି ପଡିନଥିଲେ ।
ବଲିଉଡରେ ପାଦ ଥାପିବା ପୂର୍ବରୁ ସେ ଥିଏଟରରେ ଯୋଗ ଦେଇ ଅଭିନୟ ଶିଖିଥିଲେ । ଅନେକ ଦିନ ଯାଏଁ ଥିଏଟରରେ କାମ କରିବା ପରେ, ସେ ମୁମ୍ବାଇ ଆସିବାର ନିଷ୍ପତି ନେଇଥିଲେ ।ଏହାପରେ ସେ ବଲିଉଡରେ ପ୍ରବେଶ କରିଥିଲେ ।ଅନେକ ଫିଲ୍ମରେ କାମ କରିଛନ୍ତି ସେ । ହେଲେ ଫିଲ୍ମ’ରାମ୍ ଲଖନ’ ଦ୍ବାରା ସେ ବେଶ ପରିଚିତ ହୋଇଥିଲେ । ତାପରଠାରୁ ସେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟକୁ ମଧ୍ୟ ବେଶ ପସନ୍ଦ କରନ୍ତି ଦର୍ଶକ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।




