
୨୧/୦୯/୨୧(ଜିଲ୍ଲା ଖବର) : ଦେଶର ଆବଶ୍ୟକତା ପୂରଣ ପରେ ଭ୍ୟାକ୍ସିନର ରପ୍ତାନୀ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମ ଅଧିନରେ ଆସନ୍ତା ଅକ୍ଟୋବର ମାସ ପରଠାରୁ ଦେଶର ଆବଶ୍ୟକତା ପୂରଣ ପରେ ପଡୋଶୀ ଦେଶକୁ ରପ୍ତାନୀ କରାଯିବ ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅକ୍ଟୋବର ମାସରେ ଦେଶକୁ କୋରୋନା ଭ୍ୟାକ୍ସିନର ୩୦ କୋଟି ଡୋଜ ମିଳିବାକୁ ଯାଉଛି। ଏହାସହ ଆଗାମୀ ତିନି ମାସରେ ୧୦୦ କୋଟିରୁ ଅଧିକ ଡୋଜ ମିଳିବ । ଆମେ ଭ୍ୟକ୍ସିନ ମୈତ୍ରୀ କାର୍ଯ୍ୟକ୍ରମକୁ ଆଗକୁ ବଢାଇବୁ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ବିଶ୍ୱକୁ ସାହାଯ୍ୟ କରିବୁ। ଏହାସହ ଦେଶରେ ବର୍ତ୍ତମାନ ସୁଦ୍ଧା ୮୧ କୋଟି ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଶେଷ ୧୦ କୋଟି ଟିକାକରଣକୁ ମାତ୍ର ୧୧ ଦିନ ସମୟ ଲାଗିଥିବା ସେ ସୂଚନା ଦେଇଛନ୍ତି ।


