
୨୦/୦୯/୨୧ (ଜିଲ୍ଲା ଖବର) : ଡ୍ରେନରେ ଭାସି ଛୁଆ ମଲା, ଏଇଟା ପୁଣି ଦୈବୀ ଦୁର୍ବିପାକ। ବାସ୍ତବରେ ଆମ ରାଜନେତାଙ୍କୁ ଏ କଥା ଜଣା ନାହିଁ ଯେ, କୋଉଠି କ’ଣ କହିବେ । କାଲିର ଅଘଟଣ ସାରା ରାଜ୍ୟକୁ ସ୍ତବ୍ଧ କରିଛି। ୧୦ମ ଶ୍ରେଣୀର ନାବାଳକ ରାଜା ଓରଫ ଜ୍ୟାତିପ୍ରକାଶ ବେହେରା ଟିଉସନ୍ ଯାଉଥିବା ବେଳେ ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଲେ । ରାଜନୀତି କରୁଥିବା ନେତାମାନେ ଏଥିରୁ ଫାଇଦା ନେଲେ। ହେଲେ ସମ୍ବେଦନହୀନ ଭାବେ ମନ୍ତବ୍ୟ ରଖିଲେ ପୂର୍ବତନ ମେୟର ବୁନୁ ଓରଫ ଅନନ୍ତ ନାରାୟଣ ଜେନା।
ତାଙ୍କ ମତରେ ଏ ଅଘଟଣର ଯୋଡିଏ କାରଣ
୧- ଏହା ଦୈବୀଦୁର୍ବିପାକ ପର୍ଯ୍ୟାୟ ଭୁକ୍ତ, ଏଣୁ କିଛି କରାଯାଇପାରିବ ନାହିଁ।
୨- ଇଲେକ୍ଟ୍ରାନିକ୍ସ ଗଣମାଧ୍ୟମ ସଚେତନ କରୁ ନ ଥିବାରୁ ଲୋକୋ ବର୍ଷାରେ ଘରୁ ବାହାରିବା ଭୁଲ୍ । ସେଥିପାଇଁ ଡ୍ରେନରେ ପଡି ପ୍ରାଣ ହରାଉଛନ୍ତି।
ଏବେ କୁହନ୍ତୁ ଏ ଦୁଇଟି କାରଣ ଆପଣଙ୍କୁ କେମିତି ଲାଗିଲା। ଏହା ଯଦି ଦୈବୀ ଦୁର୍ବିପାକ ତା ହେଲେ ଏଥିରେ ବିଏମସିର କୌଣସି ଭୁଲ୍ ନାହିଁ। ସେମାନେ ଡ୍ରେନ ଖୋଳିବେ। ତା ଉପରେ ସ୍ଲବ ପକାଇବେ ନି । ଏଇଟା ସେମାନଙ୍କର ଇଚ୍ଛା। ଦୁଇ ଦୁଇଥର ମେୟର ହୋଇ ଭୁବନେଶ୍ୱରର ଭଲମନ୍ଦ ବୁଝିଥିବା ବୁନୁ ବାବୁଙ୍କ ଏହି ଅଘଟଣ ପାଇଁ ପ୍ରଶାସନର କୌଣସି ତ୍ରୁଟି ଆଖିକୁ ଦିଶିଲାନି।
ହଉ ଧରି ନିଆଯାଉ ଏହା ଠିକ୍। ହେଲେ ସେ ଯେଉଁ ୨ୟ କାରଣ ଦର୍ଶାଇଲେ ତାହା ତାଙ୍କୁ ଆହୁରି ଲଜ୍ଜିତ କଲା ବୋଲି କହିଲେ ଠିକ୍ ହେବ । ଯଦି ଭୁବନେଶ୍ୱର ସ୍ମାର୍ଟ ସିଟି, ତା ହେଲେ ଏଠାରେ ଥିବା ସବୁ ବ୍ୟବସ୍ଥା ସ୍ମାର୍ଟ । କିନ୍ତୁ ବର୍ଷା ହେଲେ ଘରୁ ବାହାରିବା ମନା।
ଗୋଟିଏ ପଟେ ଆପଣ କହୁଛନ୍ତି ଏହା ସ୍ମାର୍ଟ ସିଟି ଆଉ ଗୋଟିଏ ପଟେ ଏ କଥା ବି କହୁଛନ୍ତି ଯେ, ବର୍ଷାରେ ବାହାରକୁ ବାହାରନ୍ତୁ ନାହିଁ । ନଚେତ୍ ଏମିତି ଅଘଟଣ ପାଇଁ ଆପଣ ନିଜେ ହିଁ ଦାୟୀ ହେବ । ଧନ୍ୟ କହିବ ଆପଣଙ୍କୁ।
ଯା ହେଉ ଦୀର୍ଘ ୧୦ ବର୍ଷ କାଳ ଭୁବନେଶର ମେୟର ହୋଇ ଆମ ଭୁବନେଶ୍ୱରୀଆଙ୍କ ମୁରବୀ ହୋଇ ମୁରବୀପଣିଆକୁ ଆପଣ ଠିକ୍ ଚରିତାର୍ଥ କରିଦେଲେ ଯାହା। ଗୋଟିଏ ଛୁଆ ମରିଗଲା। ତା ବାପା, ମା’ଙ୍କ ହୃଦୟରେ କ’ଣ ହେଉଥିବ ସେ କଥା ଭାବିଲେ ଆମ ହୃଦ୍ ସ୍ମନ୍ଦନ ବଢି ଯାଉଛି। ହେଲେ ଏକ୍ସ ମେୟର ତଥା ଶାସକ ଦଳର ବିଧାୟକ ବାବୁ କହୁଛନ୍ତି ଏଇଟା ଦୈବି ଦୁର୍ବିପାକ । ତାଙ୍କ ମୁହଁକୁ ଲାଜ ନାହିଁ ଯାହା।



