Monday, October 12, 2026
Home ଆଞ୍ଚଳିକ ଆସ ବୁଲିଯିବା ଘଟଗାଁ, ଦର୍ଶନ କରିବା ତାରିଣୀ ମା’

ଆସ ବୁଲିଯିବା ଘଟଗାଁ, ଦର୍ଶନ କରିବା ତାରିଣୀ ମା’

6

୨୦/୦୯/୨୧ (ଜିଲ୍ଲା ଖବର) : ଶାଳବଣ ,ପାହାଡ ଘେରା ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ନାଁ ଘଟଗାଁ । କେନ୍ଦୁଝର ଜିଲ୍ଲା ଘଟଗାଁରେ ଅବସ୍ଥିତ ମା’ ତାରିଣୀଙ୍କ ପୀଠ । ଏଠାକୁ ମା’ଙ୍କ ଦର୍ଶନ ପାଇଁ  ଓଡ଼ିଶାର କୋଣ ଅନୁକୋଣରୁ, ତଥା ଓଡିଶା ବାହାରୁ ମଧ୍ୟ ଭକ୍ତମାନେ ଆସି ଥାଆନ୍ତି । ସତେ ଯେପରି  ଭକ୍ତଙ୍କ ଆସିବା ବାଟକୁ ଅପଲକ ନୟନରେ ଚାହିଁ  ରହିଥାଏ ମା’ । କୁହାଯାଏ ମା’ଙ୍କ ନିକଟକୁ ନ ଆସିପାରିଲେ ମଧ୍ୟ, ମାନସିକ ଟିଏ କରି ନଡିଆ ଟିଏ ମା’ଙ୍କ ନିକଟକୁ ପଠାଇଦେଲେ, ଭକ୍ତର ମନସ୍କାମନା ପୂରଣ ହୁଏ ।

ମାଆ ତାରିଣୀ ହେଉଛନ୍ତି ଅଖଣ୍ଡ ବିଶ୍ୱାସ ଓ ଭକ୍ତିର ପ୍ରତୀକ । ଇତିହାସ କୁହେ ୧୪୮୦ ସାଲରେ କେନ୍ଦୁଝରର ତତ୍କାଳୀନ ମହାରାଜା ଗୋବିନ୍ଦ ଭଞ୍ଜ ଥିଲେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଅଭିଯାନର ସେନାପତି । ବିଜୟ ଲାଭ ପରେ ଗଜପତିଙ୍କ ସହମତିରେ ଗୋବିନ୍ଦ ଭଞ୍ଜ କାଞ୍ଚିର ମାଆ ତାରିଣୀଙ୍କୁ କେନ୍ଦୁଝରକୁ ନେଇ ଆସୁଥିଲେ । ସର୍ତ ଥିଲା ପଛରେ ଆସିବେ ମା’ ଆଗରେ ଚାଲିବେ ଗୋବିନ୍ଦ ଭଞ୍ଜ । କିନ୍ତୁ ପଛକୁ ଚାହିଁଲେ ସେଇଠି ଅଟକିଯିବେ ମା’ । ଠିକ୍‌ ସେଇଆ ହେଲା । କେନ୍ଦୁଝର ଗଡକୁ ଯିବା ଆଗରୁ ମନୋରମ ଶାଳ ବଣରେ ମା’ ତାରିଣୀ ଅଟକି ଗଲେ । ଶୁଭିଲାନି ମା’ଙ୍କ ନୁପୂର ଶବ୍ଦ । ପଛକୁ ଚାହିଁଦେଲେ ଗୋବିନ୍ଦ ଭଞ୍ଜ । ଆଉ ସେଇଠି ଅଟକିଗଲେ ମା’ ତାରିଣୀ । ଯାହା ଆଜି ଆଧୁନିକ ଘଟଗାଁ ଭାବେ ନାମିତ ହୋଇଛି ।

ଏଠାରେ ବ୍ରାହ୍ମଣ ନୁହେଁ ଦେହୁରୀମାନେ ମା’ଙ୍କ ପୂଜାର୍ଚ୍ଚନା କରନ୍ତି।

ବର୍ଷର ସବୁ ସମୟରେ ଏଠାରେ ଭକ୍ତଙ୍କ ଭିଡ ଜମେ । ମା’ଙ୍କର ପ୍ରିୟ ଭୋଗ ହେଉଛି ନଡିଆ।  ଆଉ ପ୍ରିୟ ଫୁଲ ହେଉଛି ନାଲି ମନ୍ଦାର ।   ପ୍ରତିଦିନ ମା’ଙ୍କ ପାଖକୁ ଅନେକ ସଂଖ୍ୟାରେ ନଡିଆ ଆସିଥାଏ  । ଏତେ ସଂଖ୍ୟାରେ ମା’ଙ୍କ ନିକଟକୁ ନଡିଆ ଆସିଥାଏ ଯେ, ଦେଖିଲେ ସତେ ଯେପରି ଲାଗେ , ସେଠାରେ ନଡିଆ ପାହାଡ ଟିଏ ଛିଡା ହୋଇଛି । ଏହି ନଡିଆ ସବୁକୁ  ରଖିବା ପାଇଁ ମନ୍ଦିର ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ପରିବେଶ ମଧ୍ୟ ଅତିବ ମନୋରମ । କେବେ ସୁଯୋଗ ପାଇଲେ ନିଶ୍ଚିତ ଏଠାକୁ ବୁଲି ଆସନ୍ତୁ ।

କେମିତି ଯିବେ-

ବସ୍ ଯୋଗେ ଭୁବନେଶ୍ବରରୁ ଆସୁଥିଲେ ଆପଣ ସିଧା ଶଳଖ ମା’ଙ୍କ ସିଂହଦୁଆର ପାଖେ ପହଞ୍ଚିବେ । ଟ୍ରେନ ଯୋଗେ ଆସୁଥିଲେ ହରିଚନ୍ଦନପୁର ଷ୍ଟେଶନରୁ ଓହ୍ଲାଇ ଆପଣ ଟ୍ୟାକ୍ସି କିମ୍ବା ଅଟୋ ଯୋଗେ ଘଟଗାଁରେ ପହଞ୍ଚି ପାରିବେ ।